ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ମେଡ଼ିସିନ୍, ରୋଗୀ ହନ୍ତସନ୍ତ

ନିରାମୟରେ ଦିଆଯାଉଛି ନିମ୍ନମାନର ଔଷଧ । ରୋଗୀଙ୍କୁ ମାଗଣାରେ ଏକ୍ସପାରୀ ମେଡିସିନ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶୋର ନଗର୍ ବ୍ଲକ୍ ଅନ୍ତର୍ଗତ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ରୋଗୀଟିଏ ସରକାରୀ ଡାକ୍ତରଖାନାକୁ ଗଲେ ନିରାମୟରୁ ଔଷଧ ପାଇଁ ଆଶା ରଖିଥାଏ। ଡାକ୍ତର ଦେଖାଇବା ପରେ ଧାଡିରେ ଠିଆ ହୋଇ ଔଷଧ ନିଏ। ହେଲେ ନିରାମୟରେ ମିଳୁଛି ନିମ୍ନମାନର ଔଷଧ ।

ସୂଚନା ଅନୁସାରେ ଗ୍ରାମର ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ଫାର୍ମାସିଷ୍ଟ ସନ୍ତୋଷଜନକ ଉତ୍ତର ନଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ପରେ ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ ।

ପରେ କିଶୋର ନଗର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର୍ ଯୋଵା ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ କେବେ ନିଆ ଯିବ ତାହା ଦେଖିବାକୁ ବାକି ରହିଲା ।