ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ଜନ୍ମ ପୀଠ, କବି ତୀର୍ଥ ବରଗଡ ଜିଲ୍ଲା ବରପାଲିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।
ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧରଙ୍କ ଜୟନ୍ତୀ ଅବସରରେ ବରପାଲି ଏକ ଉତ୍ସବ ମୁଖର ହୋଇ ପଡ଼ିଥିଲା ।

ଅନ୍ୟପଟେ ମେହେରଙ୍କ ସଙ୍ଗୀତରେ ପୁରା ବରପାଲି ଅଂଚଳ ଦୁଲୁକୁଥିଲା । ଏହି ଜନ୍ମ ଜୟନ୍ତୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ସାହିତ୍ୟ ସଭା ମାନ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ସକାଳ ପ୍ରାୟ ୮ ଘଟିକା ସମୟରେ ଏକ ଶୋଭାଯାତ୍ରା କ୍ଲବ ରୁ ବାହାରି ନଗରପରିକ୍ରମା ପୂର୍ବକ କବିଙ୍କ ଜନ୍ମ ପୀଠ କବି ଭବନ ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ର ଶତାଧିକ ଏନ୍ ଏନ୍ ସି ଛାତ୍ର ଯୋଗ ଦେଇଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୁଲ୍ୟରେ କବିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍ ର ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗ ଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଚିତ୍ରକୁଟ ମେହେରଙ୍କ କିଚକ ବଧର ଗଦ୍ୟାନୁବାଦ ପୁସ୍ତକ ଓ ସରୋଜ କୁମାର ଦାଶଙ୍କ ପଦ୍ମ ରାଗ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା । ସଭାରେ କମିଟିର ଆବାହକ ଚିତ୍ତ ରଂଜନ ସାହୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ସମ୍ପାଦକ ବାଲ କିଶୋର ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସମାରୋହରେ ସହସ୍ରାଧିକ ଶ୍ରୋତା ଉପସ୍ଥିତ ଥିଲେ ।