ସ୍ବର୍ଗଦ୍ୱାରରେ ଚମତ୍କାର, ଜୁଇ ମୁହଁରୁ ଉଠିପଡ଼ିଲେ

ସ୍ବର୍ଗଦ୍ୱାରରେ ଚମତ୍କାର । ଶବଦାହ ପାଇଁ ଆସିଥିଲେ ପୁରୀ ସ୍ବର୍ଗଦ୍ୱାର । ଅନ୍ତିମ ସଂସ୍କାର ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ଥିଲେ । ଠିକ୍ ଏତିକି ବେଳେ ହଠାତ୍ ଘଟିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସମସ୍ତେ ହତବାକ୍ ହୋଇ ରହିଗଲେ । ଶବ ସତ୍କାର କରିବା ବେଳେ ଉଠି ବସିଲେ ବୃଦ୍ଧା । କଥାରେ ଅଛି, ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନିଅନ୍ତି ଜନ୍ତୁରାଣ । ଏହି ବୃଦ୍ଧା ହେଉଛନ୍ତି ତା’ର ଉଦାହରଣ । ଜୁଇରୁ ଉଠିବସିଲେ । ଜଳିବା ପୂର୍ବରୁ ଫେରିଆସିଲା ଜୀବନ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ।

ସୂଚନାନୁସାରେ, ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ୮୬ ବର୍ଷୀୟ ପି.ଲକ୍ଷ୍ମୀ । ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ ହଠାତ ବଞ୍ଚିକି ଉଠିଲେ । ବୃଦ୍ଧାଙ୍କୁ ଟେକି ଟେକି ସ୍ୱର୍ଗଦ୍ୱାରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l

ସମ୍ପୂର୍ଣ୍ଣ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବୃଦ୍ଧାଙ୍କ ପରିବାର ଲୋକଙ୍କ କହିବା କଥା ଯେ, ପି ଲକ୍ଷ୍ମୀ କିଛି ଦିନ ହେବ ଅସୁସ୍ଥ ଥିଲେ। କାଲି ତାଙ୍କର ନିଶ୍ବାସ ବନ୍ଦ ହୋଇଯାଇଥିଲା । ଯେତେ ଡାକିଲେ ବି ସେ ଶୁଣିନଥିଲେ କି କିଛି ହଲଚଲ ହୋଇନଥିଲେ।

ସ୍ୱର୍ଗଦ୍ୱାରର ବିଗତ ୫ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।