
ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଥମିବାର ନାଁ ନେଉନି। ପ୍ରତ୍ୟହ କିଛି ନା କିଛି ସଂକ୍ରମିତ ଚିହ୍ନଟ ହେବା ସହ ଏଯାବତ୍ ୭ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଆଜି ମଧ୍ୟ ବରଗଡରେ କେନ୍ଦ୍ରୀୟ ମେଡିକାଲ ଟିମ୍ ରୋଗର ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଛନ୍ତି। ଏହି ଟିମରେ ରାଜ୍ୟ ମେଡିକାଲ ଅଫିସର ୩ ଜଣଙ୍କ ସହ କେନ୍ଦ୍ରର ଦୁଇଜଣ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଥିଲେ। ଗଣମାଧ୍ୟମ ସେମାନଙ୍କ ସହ ବୈଠକରେ ସାମିଲ ହେବାକୁ ଚାହିଁବାରୁ କେନ୍ଦ୍ରୀୟ ଅଧିକାରୀ ରୋଗର ଭୟାବହତା ପାଇଁ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଜିଲ୍ଲାରେ ସ୍କ୍ରବ ଟାଇଫସର ବ୍ୟାପକତା ଓ ଚିକିତ୍ସାର ସଠିକତା ଉପରେ ଅନୁଧ୍ୟାନ କରିବେ ବୋଲି ବରଗଡ ଡିପିଏଚଓ କହିଛନ୍ତି। ଏଥିସହ ଡିପିଏଚଓ ଜିଲ୍ଲାରେ ସ୍କ୍ରବ ଟାଇଫସରେ ବର୍ଷ ଆରମ୍ଭରୁ ଏଯାବତ୍ ୧୭୭୫ ଟେଷ୍ଟିଂ ହୋଇଥିବା ବେଳେ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତଥା ୭ ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା କହିଛନ୍ତି।
ତେବେ କେବଳ ବରଗଡ ନୁହେଁ ସୁନ୍ଦରଗଡ ଏବେ ସ୍କ୍ରବ ଟାଇଫସର କେନ୍ଦ୍ର ପାଲଟିଛି। ପଡୋଶୀ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି ଏହି ରୋଗ।ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଆଶା, ଏଏନଏମ, ଫାର୍ମାସିଷ୍ଟଙ୍କୁ ତାଲିମ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ଥିବା କହିଛନ୍ତି।