ସ୍କୁଲ ଛାତରୁ ଗଳୁଛି ଟିପ ଟିପ ବର୍ଷାପାଣି

ବିଦ୍ୟାଳୟ ଭିତରେ ଲହଡି ମାରୁଛି ବର୍ଷା ଜଳ, ଅନାବନା ଗଛରେ ପୋତିଯିବାକୁ ବସିଲାଣି ଖେଳ ପଡିଆ ତା ସାଙ୍ଗକୁ କାନ୍ଥର ଅବସ୍ଥା ବି କହିଲେ ନ ସରେ I

ଏଠି ବିଦ୍ୟାଳୟ ଅଛି, ପାଠ ବି ପଢା ଚାଲିଛି । ହେଲେ ସବୁକିଛି ଯେମିତି ଅବ୍ୟବସ୍ଥା ଭିତରେ । ସ୍କୁଲର ପରିବେଶକୁ ଦେଖିଲେ ଲାଗୁଛି, ଏହା କେଉଁ ଏକ ଗୋଚର ଜାଗାରେ ଠିଆ ହୋଇଥିବା ସରକାରୀ ଘରଟିଏ । କିନ୍ତୁ ଏହି ଘର ଭିତରେ ଗଢାଚାଲିଛି ଆଗାମୀ ଭବିଷ୍ୟତର ରୂପରେଖ । ପିଲାମାନେ ସ୍କୁଲ ଆସୁଛନ୍ତି ହେଲେ ପାଣିରେ ପହଁରି ପହଁରି ବିଦ୍ୟାଳୟ ଭିତରେ ପ୍ରବେଶ କରୁଛନ୍ତି । ଅସରାଏ ବର୍ଷାରେ ସ୍କୁଲ ବାରାଣ୍ଡା ଉପରକୁ ଉଠିଯାଉଛି ଜଳ । ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୋରେଇ ସାଦକପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମରେ ସ୍ଥାପିତ ରାଧାରମଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟଟି ୧୯୯୩ରେ ସ୍ଥାପିତ ହୋଇଥିବା ବେଳେ ଏବେ ତାହା ରୁଗଣ ଅବସ୍ଥାରେ । ରୋଷେଇ ଘରର ଅବସ୍ଥା ମଧ୍ୟ ଶୋଚନୀୟ । ସ୍କୁଲର ଏପରି ଅବସ୍ଥା ଉପରେ କାହାର ନଜର ପଡୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ସ୍କୁଲ ଶିକ୍ଷକ ।

ଶିକ୍ଷାର ବିକାଶରେ ସମାଜର ବିକାଶ । ହେଲେ ଶିକ୍ଷା ପାଇଁ ଯଦି ଭିତ୍ତିପ୍ରସ୍ତର ଏମିତି ତାହେଲେ ଶିକ୍ଷା ସେଠାରୁ କେତେ ଆଶା କରାଯାଇପାରିବ ।

Leave a Reply

Your email address will not be published. Required fields are marked *