ଚାଉଳ ନାହିଁ ତ ରୋଷେଇ ବନ୍ଦ ,ଏଭଳି ଏକ ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକରେ। ସରକାରୀ ବ୍ୟବସ୍ଥାରେ ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯାଇଛି, ଯାହା ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଉପାସରେ ଘରକୁ ଫେରୁଛନ୍ତି।

ଚଷାଗୁରୁଜାଙ୍ଗ ପଞ୍ଚାୟତର ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ପାଳଲହଡ଼ାର ପ୍ରାୟ ୨୪୧ଟି ସ୍କୁଲ। ଗତ ୧୫ ଦିନ ହେବ ଚାଉଳ ଅଭାବରୁ ରୋଷେଇ ବନ୍ଦ। ଉଦୟପୁର ସ୍କୁଲର ୭୨ ଜଣ ଛାତ୍ରଛାତ୍ରୀ ଖାଇବାକୁ ନପାଇ ସମୟ ପୂର୍ବରୁ ଛୁଟି ହୋଇ ଘରକୁ ଫେରୁଛନ୍ତି। ବ୍ଲକର ପ୍ରାୟ ୨୩ଟି ସ୍କୁଲରେ ଚାଉଳ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଅଚଳାବସ୍ଥାର ଶିକାର ହୋଇଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ସ୍ଥିତିରେ ସମାଧାନ କରିବା ପରିବର୍ତ୍ତେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ (ABEO) ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି। ତାଙ୍କ କହିବା କଥା ଅନୁସାରେ “ଘରୁ ଚାଉଳ ଆଣି ରୋଷେଇ କର ଓ ପିଲାଙ୍କୁ ଖାଇବାକୁ ଦିଅ।” ଶିକ୍ଷକମାନେ ନିଜ ପକେଟରୁ କିମ୍ବା ଧାରଉଧାର କରି କେତେ ଦିନ ପିଲାଙ୍କୁ ଖାଇବାକୁ ଦେବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ? ସରକାରୀ ଯୋଜନା କାଗଜ କଲମରେ ସୀମିତ କି? ଯଦି ଚାଉଳ ଯୋଗାଣରେ ବାଧା ଉପୁଜିଲା, ତେବେ ଜିଲ୍ଲା ପ୍ରଶାସନ ବିକଳ୍ପ ବ୍ୟବସ୍ଥା କାହିଁକି କଲେ ନାହିଁ?