
ବିଦ୍ୟାଳୟ ପରିସରରେ ଘଟିଛି ଚିନ୍ତାଜନକ ଘଟଣା। ସପ୍ତମ ଶ୍ରେଣୀର ଦୁଇ ଛାତ୍ର ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସି ଚେତାଶୂନ୍ୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାଟି ଦଶପଲ୍ଲାର ଏକ ବିଦ୍ୟାଳୟରେ ଘଟିଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି।
ଖବର ଅନୁଯାୟୀ , ଦୁଇ ଛାତ୍ର ମଦପିଇ ସ୍କୁଲକୁ ଆସିଥିଲେ। କ୍ଲାସ୍ ସମୟରେ ସେମାନେ ଅସ୍ୱସ୍ଥ ହୋଇଯାଇଥିଲେ ସେହି ସମୟରେ ହିଁ ଚେତାଶୂନ୍ୟ ହୋଇପଡ଼ିଥିବାର କଥା କୁହାଯାଉଛି। ଘଟଣାଟି କୁ ଜାଣି ପ୍ରଧାନଶିକ୍ଷକ ତୁରନ୍ତ ଅଭିଭାବକମାନଙ୍କୁ ଡାକିଥିଲେ ଏବଂ ଦୁଇ ଛାତ୍ରଙ୍କୁ ଘରକୁ ପଠାଇଦେଇଥିଲେ। ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ଛାତ୍ରମାନେ ମଦ୍ୟପାନ କରି ସ୍କୁଲକୁ ଆସିଥିଲେ। କିନ୍ତୁ ସେପଟେ ଗୋଟେ ଛାତ୍ରଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ସ୍କୁଲ୍ ପରିସରରେ ହିଁ ମଦ୍ୟପାନ କରିଛି। ଏହାକୁ ନେଇ ଘଟଣାର ସତ୍ୟତା ନେଇ ପ୍ରଶ୍ନ ଉଠିଛି।
ଏହି ଘଟଣା ପରେ ବିଦ୍ୟାଳୟ ପ୍ରଶାସନ ଓ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏତେ କାମ ବୟସ୍କ ଛାତ୍ରମାନଙ୍କ ମଧ୍ୟରେ ନିଶାସକ୍ତି କିପରି ପହଞ୍ଚୁଛି ଓ ସେମାନେ କେଉଁଠାରୁ ମଦ ପାଉଛନ୍ତି, ସେନେଇ ତଦନ୍ତ ଦାବି ଜୋରଦାର ହୋଇଛି। ପୋଲିସ ଓ ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ଖୋଜଖବର ନିଆଯାଉଥିବାର ସୂଚନା ମିଳିଛି। ଅଭିଭାବକମାନେ ବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଢ଼ାକଢ଼ି କରିବାକୁ ଦାବି କରିଛନ୍ତି।