
ଜମ୍ମୁ–କାଶ୍ମୀର ସୀମାନ୍ତ ଅଞ୍ଚଳରେ ପୁଣି ଆତଙ୍କବାଦୀ ଗତିବିଧି ତୀବ୍ର ହୋଇଯାଇଛି। କିସ୍ତୱାର ଜିଲ୍ଲାର ଡୋଲଗାମ ଅଞ୍ଚଳରେ ଆଜି ସକାଳୁ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ଏହି ଏନକାଉଣ୍ଟରରେ କୌଣସି ଆତଙ୍କୀ ନିପାତ ହୋଇଛନ୍ତି କି ନାହିଁ, ତାହା ନେଇ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ଦୀର୍ଘଦିନ ଧରି କିସ୍ତୱାର ଓ ଆଖପାଖର ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦୀ ଉପସ୍ଥିତି ପ୍ରତି ନଜର ରଖିଆସୁଥିଲେ। ଜାନୁଆରୀ ମାସ ଆରମ୍ଭରୁ ଏଠାରେ ‘ଅପରେସନ୍ ତ୍ରାଶି–ଆଇ’ ଚାଲୁ ରହିଛି, ଯାହାକୁ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଓ ସୁଚିନ୍ତିତ ଅଭିଯାନ ଭାବେ ଦେଖାଯାଉଛି।
ଏହି ଅପରେସନ୍ ଭାରତୀୟ ସେନା, ଜମ୍ମୁ–କାଶ୍ମୀର ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF) ମିଳିତ ଭାବେ ପରିଚାଳନା କରୁଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କିସ୍ତୱାର ଜିଲ୍ଲା ସହ ପାହାଡ଼ିଆ ଓ ଘନ ଜଙ୍ଗଲ ଅଞ୍ଚଳରେ ସକ୍ରିୟ ଆତଙ୍କବାଦୀମାନଙ୍କୁ ନିପାତ କରି ସେମାନଙ୍କର ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରିବା। ଏହି ମଧ୍ୟରେ ଶନିବାର ସକାଳେ ଜମ୍ମୁ–କାଶ୍ମୀର ସୀମାନ୍ତ ଅଞ୍ଚଳର ଚାଲିଆରୀ ଗ୍ରାମ ନିକଟରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା। ବିଏସଏଫ ଡ୍ରୋନ୍ଟି ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିବା ପରେ ଏହା ପାକିସ୍ତାନୀ ସୀମାକୁ ପଳାଇଯାଇଥିଲା। ଏହି ଘଟଣା ପରେ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଗୁଇନ୍ଦା ସଂସ୍ଥାଗୁଡ଼ିକର ମତାନୁସାରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ବିଶେଷକରି ଜୈଶ–ଏ–ମହମ୍ମଦ ସହ ସଂପୃକ୍ତ ଗୋଷ୍ଠୀଗୁଡ଼ିକ କିସ୍ତୱାର ଓ ଆସପାସ ଘାଟି ଅଞ୍ଚଳରୁ କାର୍ଯ୍ୟ କରୁଥିବା ସୂଚନା ମିଳୁଥିଲା। ଏହି ସୂଚନା ନିଶ୍ଚିତ ହେବା ପରେ ହିଁ ଅପରେସନ୍ ‘ତ୍ରାଶି–ଆଇ’କୁ ଅଧିକ ତୀବ୍ର କରାଯାଇଛି। ଘନ ଜଙ୍ଗଲ ଓ ଉଚ୍ଚ ପର୍ବତ ଥିବା ଏହି ଅଞ୍ଚଳକୁ ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ଭାବେ ଗଣାଯାଉଥିଲା। ତେବେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧରେ କଠୋର ମନୋଭାବ ନେଇ ଅଭିଯାନ ଜାରି ରଖିଥିବା କଥା କହିଛନ୍ତି।