ସିଟି ବସ ପରି ଇ-ବସ ସେବାର ହେବନି ତ ସ୍ଥିତି ?

ଯେଉଁଠି ଆରମ୍ଭ ସେଇଠି ଶେଷ। ଏ ହେଉଛି ବାଲେଶ୍ୱର ସହରବାସୀଙ୍କ ପ୍ରତି ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ପ୍ରିତି। ଲୋକଙ୍କ ଯାତାୟାତ ସୁବିଧା ପାଇଁ ଆରମ୍ଭ ହୋଇଥିଲା ଇ-ବସ ସେବା। ହେଲେ ମାତ୍ର ୨ ଦିନ ଚାଲିବା ପରେ ଏହି ସେବା ବନ୍ଦ । ଠିକ ୬ ବର୍ଷ ପୂର୍ବେ ସିଟି ବସ ସେବା ପରି। କିନ୍ତୁ ଏଥିରେ ରାଜକୋଷରୁ ଯାଇଛି କୋଟିକୋଟି ଟଙ୍କା, ଯାହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଲେଣି। ଆସନ୍ତୁ ବାଲେଶ୍ଵରରୁ ଦେଖିବା ଏହି ରିପୋର୍ଟ।

ବାଲେଶ୍ୱର ସହରବାସୀଙ୍କ ଗମନାଗମନ ସୁବିଧା ଯୋଗାଇବାକୁ ୨୦୧୭ରେ ଆରମ୍ଭ ହୋଇଥିଲା ସିଟି ବସ ସେବା। କିନ୍ତୁ ମାସ ଛଅଟାରେ ଏହାକୁ ବନ୍ଦ କରିଦିଆଗଲା। କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ସିଟି ବସ ଏବେ ସହରର ଗାନ୍ଧିସ୍ମୃତିଭବନରେ ଖତ ଖାଉଛି। ବସର ବିଭିନ୍ନ ଅଂଶ ଜଙ୍କ ଲାଗିବା ସହ ସିଟ ନଷ୍ଟ ହେବାରେ ଲାଗିଲାଣି। ସେପଟେ ସହରବାସୀ ପୁଣି ଘରୋଇ ବସ ମାଲିକଙ୍କ ଦ୍ୱାରା ହେଉଛନ୍ତି ହନ୍ତସନ୍ତ। ପୁଣି ସିଟି ବସ ଚଳାଇବାକୁ ଲୋକଙ୍କ ଦାବି ଭିତରେ ଗତ ସେପ୍ଟେମ୍ବର ୧୯ ରେ ସହରରେ ଆରମ୍ଭ ହେଲା ଇ ବସ ସେବା। ବାଲେଶ୍ୱର-ଭଦ୍ରକ ଅରବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନିଷ୍ପତ୍ତି ଅନୁଯାୟୀ ବାଲେଶ୍ଵର ସହରକୁ ପ୍ରଥମେ ଗୋଟିଏ ବସ ଆସିଥିଲା। ପରିବର୍ତି ସମୟରେ ଆଉ ୫ ବସ ଆସିବାର ଯୋଜନା ଥିଲା। ୩୩ ସିଟ ବିଶିଷ୍ଟ ଏହି ବସ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଗଡିଥିଲା। ମାତ୍ର ୨ ଦିନ ଗଡିବା ପରେ ଏହି ସେବାରେ ଲାଗିଲା ଡୋରି। ବାଲେଶ୍ୱର ପାଇଁ ଆସିଥିବା ଇ-ବସ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରହିଛି। ହେଲେ ଇ-ବସ ସେବା କାହିଁକି ବନ୍ଦ ହୋଇଗଲା ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ଏହାକୁ ନେଇ ପୌରାଧ୍ୟକ୍ଷା କହିଛନ୍ତି, ସିଟି ବସ ବହୁତ ଲମ୍ବା ଥିବାରୁ ସହର ଭିତରେ ଚଳାଚଳରେ ସମସ୍ୟା ଦେଖାଦେଲା। ତେଣୁ ଏହାକୁ ବନ୍ଦ କରିବାକୁ ପଡିଲା

ଇ-ବସ ସେବା ବନ୍ଦକୁ ନେଇ ପୌରାଧ୍ୟକ୍ଷ କହିଛନ୍ତି, ସେବା ବନ୍ଦ ହୋଇନି। ବସ ରିଚାର୍ଜ ପରି ଅନ୍ୟାନ୍ୟ ଟେକ୍ନିକାଲ ସମସ୍ୟା ପାଇଁ ବନ୍ଦ ହୋଇଛି ସତ କିନ୍ତୁ ଏହା ପୁଣି ଚାଲିବ। ଏସମ୍ପର୍କରେ ବିଧାୟକ କହିଛନ୍ତି, ଇ ବସ ଟେଣ୍ଡରରେ କେହି ସାମିଲ ହୋଇ ନଥିଲେ ଏହାର ମୂଲ୍ୟକୁ ନେଇ। ଆଉ ଦୁଇଟି ଟେଣ୍ଡର ପ୍ରକ୍ରିୟା ରହିଛି। ପରବର୍ତ୍ତୀ ସମୟରେ ଟେଣ୍ଡର କରି ଖୁବ ଶୀଘ୍ର ଇ-ବସ ସେବା ଆରମ୍ଭ ହେବ।

ଅନ୍ୟପଟେ ଇ-ବସ ସେବା ତୁରନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି। ଏହାଦ୍ୱାରା ସହର ସମେତ ସହରକୁ ଦୈନିକ ଆସୁଥିବା ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *