
ପୁରୀ ଗଜପତିଙ୍କ ଶ୍ରୀନଅରରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ପୁଷ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରି ରାଜାଭିଷେକରେ ଅଭିଷିକ୍ତ ହେବେ। ଶ୍ରୀନଅରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଜପତିଙ୍କୁ ଅଭିମନ୍ତ୍ରିତ କରାଯାଇ ରାଜ୍ୟର ମଙ୍ଗଳ ଓ ସମୃଦ୍ଧି ପାଇଁ କାମନା କରାଯିବ।
ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀନଅରରେ ଗଜପତିଙ୍କର ରାଜାଭିଷେକ ଉତ୍ସବ ପାଳିତ ହେବ। ଏହି ଉତ୍ସବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପ୍ରଚଳିତ ରହିଛି।
ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ବେଦମନ୍ତ୍ର ଉଚ୍ଚାରଣ ସହ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଧାର୍ମିକ ଶୃଙ୍ଖଳା, ପାରମ୍ପରିକ ବିଧି ଓ ଆସ୍ଥାର ମେଳାପରେ ଏହି ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅତ୍ୟନ୍ତ ଭବ୍ୟତାର ସହିତ ପାଳିତ ହେବ।