ସରିଲା ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ

ପ୍ରତିବର୍ଷ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିରେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ ପଡିଥାଏ । ସେହି ଦିନରେ ମା’ ମାଟିଆ ମଙ୍ଗଳା ବାର ଗାଁରେ ଆବିର୍ଭାବ ହୋଇଥିଲେ । ଆଜିକୁ ୬ ଶହ ବର୍ଷ ପୂର୍ବେ ମା’ ମାଟିଆ ମଙ୍ଗଳା ରାଉଳ ବଂଶର ଝିଅ ସାଜି ବୁଢା ଶଙ୍ଖାରି ଠାରୁ ଶଙ୍ଖା ରଖି ବଦଳରେ କଉଡ଼ି ନ ଦେଇ ମୁଁ ସୁମନ୍ତ ରାଉଳଙ୍କ ଝିଅ ମୋ ବାପାଙ୍କ ଠାରୁ କଉଡ଼ି ନେଇଯିବ କହି କୁଆଡେ ଉଭା ହୋଇଯାଇଥିଲେ । ଯେତେବେଳେ ବୁଢା ଶଙ୍ଖାରି ସୁମନ୍ତ ରାଉଳଙ୍କ ଘରେ ପହଁଛି କଉଡ଼ି ମାଗିଥିଲା ସେତେବେଳେ ସୁମନ୍ତ ରାଉଳ ବିବାହ କରିନଥିବା ବୁଢା ଶଙ୍ଖାରି ଜାଣିବାକୁ ପାଇଥିଲେ । ପରେ ବୁଢା ଶଙ୍ଖାରି ଘରକୁ ଫେରିଥିଲେ । ବୁଢା ଶଙ୍ଖାରି ଫେରିବା ସୁମନ୍ତ ରାଉଳ ଘର ଭିତରକୁ ଯିବା ସମୟରେ ଦେଖି ଥିଲେ ଘର ଭିତରେ ମା’ ମାଟିଆ ମଙ୍ଗଳା ବିରାଜମାନ ହୋଇଛନ୍ତି । ତେବେ ସେହିଦିନ ଠାରୁ ମା’ ମାଟିଆ ମଙ୍ଗଳା ବାର ଗାଁରେ ପୂଜା ପାଇ ଆସୁଛନ୍ତି । ଆଉ ସେହି ପୂଜା ବ୍ରାହ୍ମଣ ବଦଳରେ ରାଉଳ ବଂଶ ପୂଜା କରି ଆସୁଛନ୍ତି । ଏହି ଦିନକୁ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମ ଦିନ ରୂପେ ପ୍ରତ୍ୟକ ବର୍ଷ ବଡ଼ ଧୁମ ଧାମରେ ଜରିମୂଳ ବାର ଗାଁରେ ପାଳନ ହୋଇ ଆସୁଛି । ମାଙ୍କର ଏହି ଜନ୍ମଉତ୍ସବକୁ ଦେଖିବା ପାଇଁ ଓ ନିଜର ମନସ୍କାମନା ପୂରଣ କରିବା ପାଇଁ ରାଜ୍ୟର କୋଣଅନୁକୋଣରୁ ଭକ୍ତ ମାନଙ୍କ ସୁଅ ଛୁଟେ ବାର ଗାଁ ମା’ ମାଟିଆ ମଙ୍ଗଳାଙ୍କ ମନ୍ଦିରକୁ । ତେବେ ଚଳିତ ବର୍ଷ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ ବଡ଼ ଧୁମ ଧାମରେ ପାଳନ ହୋଇଛି । ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ଜନ୍ମଉତ୍ସବରେ ସାମିଲ ହୋଇଥିଲେ ।