
କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ଯୁବ ସରପଞ୍ଚ, ଦକ୍ଷ ସଂଗଠକ ଓ ସମାଜସେବୀ ସରୋଜ କୁମାର ସେଠୀଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଂଚିବା ପରେ ପଞ୍ଚାୟତର ଆବାଳ ବୃଦ୍ଧ,ତଥା ଶତାଧିକ ପୁରୁଷ ଓ ମହିଳାଙ୍କ ସହ ବିଶିଷ୍ଟ ରାଜନେତା ଓ ସାମାଜିକ କର୍ମୀମାନେ ସାମିଲ ହୋଇଥିଲେ କେବଳ ତାଙ୍କ ପ୍ରିୟ ସରପଂଚ ବାବୁଙ୍କୁ ଶେଷ ଥର ଦେଖିବା ପାଇଁ । ଏହି ଦୁଃଖଦ ସମ୍ବାଦ ଶୁଣି ସ୍ଥାନୀୟ ବାସିନ୍ଦା ତାଙ୍କୁ ଝୁରି ଭୁରି ଭୁରି କାନ୍ଦୁଛନ୍ତି । କଲେଜ ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ କରି ସରପଞ୍ଚ ପଦବୀ ପର୍ଯ୍ୟନ୍ତ ସରୋଜଙ୍କ ଲୋକାଭିମୁଖୀ କାର୍ଯ୍ୟ ଆଜି ବି ଲୋକମାନଙ୍କ ସ୍ମୃତିରେ ଅତୁଟ ରହିବ ।
ଅନେକ ସ୍ଵପ୍ନ ତାଙ୍କର ଅଧୂରା ରହିଗଲା । ରୋଗ ଶଯ୍ୟାରେ ରହିଲେ ବି ସେ ପଞ୍ଚାୟତ ବାସୀଙ୍କ ଭଲମନ୍ଦ ପଚାରୁଥିଲେ । ଶେଷ ନିଶ୍ଵାସ ପରେ ବି ତାଙ୍କ ମୁଖରେ ହସ ଥିବା ଦେଖି ସମସ୍ତେ ଆବାକ ହୋଇଯାଇଥିଲେ । ଜଣେ ପରୋପକାରୀ, ସହୃଦୟ ବ୍ୟକ୍ତିତ୍ୱର ଅଭାବରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ।
ଶବଯାତ୍ରା ରାହାମା ବଜାର ପରିକ୍ରମା କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପଞ୍ଚାୟତର ପ୍ରତିଗ୍ରାମକୁ ଯାଇ, ସାଇଲୋ ତେର୍ମାଣପୁର ମଠସାହିରେ ଥିବା ପୈତୃକ ଗ୍ରାମରେ ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର କୁମାର ଆର୍ୟନ ମୁଖାଗ୍ନି ଦେଇଥିଲେ । ଏହି ଅପୂରଣୀୟ କ୍ଷତିକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ସମଗ୍ର ଜଗତସିଂହପୁର ଜିଲ୍ଲା କେବେ ବି ଭୁଲି ପାରିବେ ନାହିଁ ।