ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବେନି ଡାକ୍ତର

ଡାକ୍ତରମାନଙ୍କ ଦାବିକୁ ନେଇ ରାଜ୍ୟରେ ଓମ୍‌ସା (Odisha Medical Services Association) ଆନ୍ଦୋଳନ ଆହୁରି କଠୋର ହୋଇଛି। ଆଜିଠାରୁ ଘଣ୍ଟିକିଆ ନୁହେଁ, ବରଂ ଦୁଇ ଘଣ୍ଟା OPD ବନ୍ଦ କରିବାକୁ ଓମ୍‌ସା ନିଷ୍ପତ୍ତି ନେଇଛି। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର OPD ସେବା ବର୍ଜନ କରାଯିବ। ଏହି ସମୟରେ କେବଳ ଜରୁରିକାଳୀନ ସେବା ଜାରି ରହିବ।

ଏହି ସୂଚନା ଦେଇଛନ୍ତି ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ। ସେମାନଙ୍କ କହିବାନୁସାରେ, ଡାକ୍ତରମାନଙ୍କ ୧୦ ଦାବି ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସଠିକ୍ ନିଷ୍ପତ୍ତି ନିଆଯାଇନଥିବାରୁ ଆନ୍ଦୋଳନ ଅବଧି ବଢ଼ାଇବାକୁ ସଂଘ ବାଧ୍ୟ ହୋଇଛି।

ଓମ୍‌ସା ଘୋଷଣା କରିଛି ଯେ, ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ୧୧ଟା OPD ବନ୍ଦ ରହିବ। ଏହା ପରେ ୨୬ ତାରିଖରୁ NHM ଯୋଜନାରେ ଅସହଯୋଗ ଜାରି ରହିବା ସହ ୨୭ ତାରିଖରୁ OPD ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ସ୍ୱଚ୍ଛ ବଦଳି ନୀତି, ଖାଲି ପଦବୀ ପୂରଣ, OMS କ୍ୟାଡର ପୁନର୍ଗଠନ ସହ ୧୦ ଦାବି ପୂରଣ ପାଇଁ ଓମ୍‌ସା ଅଡ଼ି ରହିଛି। ଏହି ଆନ୍ଦୋଳନର ପ୍ରଭାବରେ ସାଧାରଣ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।