
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ବରଗଡ,ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି | ଏହି ଅବସରରେ ପ୍ରଥମେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମ୍ମିଳନୀ କାକ୍ଷଠାରେ ଏକ ସାଧାରଣ ସଭା ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମତେ ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନକୁ ସ୍ମୃତିଚାରଣ କରିଥିଲେ। ମୁଖ୍ୟ ବକ୍ତା ଡ଼ଃ ରବିନାରାୟଣ ସାହୁ ସ୍ୱତନ୍ତ୍ର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଜୀବନଠୁ ଆରମ୍ଭ କରି ଓଡିଶା ପ୍ରଦେଶ ଗଠନ ତଥା ଓଡିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତିର ବିକାଶ କ୍ଷେତ୍ରରେ ଥିବା ମହତ ଅବଦାନକୁ ବର୍ଣନା କରି କହିଵା ସହ ବିକଶିତ ଓଡିଶା ଗଠନ ନିମନ୍ତେ ଏଭଳି ମହାପୁରୁଷଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହଵା ଜରୁରୀ ବୋଲି କହିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା । ବରପୁତ୍ରଙ୍କ ଜୀବନୀ ଜାଣିବାରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନର ଯୁବପିଢୀକୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନରୁ ସାଲିଶ ବିହୀନ ମାନସିକତାକୁ ହଟେଇ ଅନ୍ୟାୟ ବିରୁଦ୍ଧରେ ମୂହଁ ଖୋଲି ଆଗକୁ ବଢିବାକୁ ଶିଖିବା ଦରକାର ବୋଲି ସେ କହିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର କର୍ମକର୍ତ୍ତା ତଥା ବୁଦ୍ଧିଜୀବୀଙ୍କ ସମେତ ଜିଲ୍ଲା ପାଠାଗାରର ସମସ୍ତ ଯୁବ ପାଠକ ପାଠିକା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା କାଯ୍ୟକ୍ରମକୁ ପରିଚାଳନା କରିଥିଲେ।