ସନାତନ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମ ନବମୀ ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏହାକୁ ନେଇ ପୁରପଲ୍ଲୀରେ ରାମ ଭକ୍ତଙ୍କ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଭକ୍ତ ମାନଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ରଙ୍କ ରାମ ନବମୀ ଉତ୍ସବ ପାଳନ ହେବ । ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁ ସମାଜ ଏକତ୍ରିତ ହୋଇ ଏହି ମହାନ ପର୍ବକୁ ପାଳନ କରିବେ । ଓଡିଶାର ବିଭିନ୍ନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବଡ଼ ଧୁମ ଧାମରେ ପାଳନ ହେଉଛି । ଚଳିତ ବର୍ଷ ଠାରୁ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହେବାକୁ ଯାଉଛି ଶ୍ରୀରାମ ନବମୀ ଶୋଭାଯାତ୍ରା ଉତ୍ସବ । ଏହାକୁ ନେଇ ଗତକାଲି ଶ୍ରୀରାମ ମହାଯଜ୍ଞ ସମିତି ରାଜନଗର କୋର କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ସଂଯୋଜକ ଶ୍ରୀ ରାଜୀବ ଲୋଚନ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ରାମ ନବମୀ ଶୋଭାଯାତ୍ରା ରାଜନଗର ମାଟିରେ ପ୍ରଥମ କରି ଭବ୍ୟ ଓ ଦିବ୍ୟ ରୂପରେ ପାଳନ କରାଯିବ ।

ଏହି ଶୋଭାଯାତ୍ରା ଏହି ବର୍ଷ ଠାରୁ ଆରମ୍ଭ ହୋଇ ପ୍ରତିବର୍ଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ରାମ ନବମୀରେ ପାଳନ କରାଯିବ । କୋର କମିଟିର ସଭାପତି ଶ୍ରୀ ରବୀନ୍ଦ୍ର ସେଠୀ ଶ୍ରୀରାମ ନବମୀର ଶୋଭାଯାତ୍ରା ରୂପରେଖକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଆସନ୍ତା ଏପ୍ରିଲ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଆଜ୍ଞାମାଳ ଶୋଭାଯାତ୍ରା, ଗୋପୂଜନ ଓ ଶହେ ଆଠ ହନୁମାନ ଚାଳିଶା ପାଠ ହେବ । ଦ୍ୱିତୀୟ ଦିନ ଏକ ବିଶାଳ କଳସ ଶୋଭାଯାତ୍ରା, ଶ୍ରୀରାମ ଯଜ୍ଞ ଓ ସଂନ୍ଧ୍ୟାରେ ଭଜନ ସଂନ୍ଧ୍ୟା ଅନୁଷ୍ଠିତ ହେବ । ଓ ଶେଷ ଦିନରେ ଏକ ବିଶାଳ ଭବ୍ୟ ଓ ଦିବ୍ୟ ନଗର ସଂକୀର୍ତ୍ତନ କରାଯିବ । ତେବେ ଏହି ବିଶାଳ ଶୋଭାଯାତ୍ରା ମହୁଲିଆ ପଡିଆରୁ ଠାରୁ ଆରମ୍ଭ ହୋଇ ରାଜନଗର ମୁଖ୍ୟ ବଜାର ଓ ଗୋପାଳପୁର ମୁଖ୍ୟ ବଜାର ଦେଇ ମହିଁସାଷୁର ପଞ୍ଚାୟତ ପଡିଆଠାରେ ଶେଷ ହେବା ନେଇ କୋର କମିଟିର ନଗର ସଂଚାଳନ ପ୍ରମୁଖ ଭରତ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।