ଶେଷ ହେଲା ଚଡକ ଯାତ୍ରାର ପାଟ ପର୍ବ

ବାଲେଶଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ବାବା ଚନ୍ଦନେଶ୍ୱରଙ୍କ ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ରବିବାର ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ଲକ୍ଷ ଲକ୍ଷ ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କ ଠାରେ । ଓଡ଼ିଶାର ଦ୍ଵିତୀୟ ସର୍ବବୃହତ ପର୍ବ କୁହାଯଉଥିବା ଏହି ଚଡ଼କ ପର୍ବରେ ଓଡି଼ଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ବାଡ଼ସରିଷା ଗ୍ରାମର ହା’କାଣ୍ଡ ଲକ୍ଷ୍ମୀ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ଓ ଆଖାପାଖ ଘରର ଛାତ ଉପରେ ଲାଗି ରହିଥିଲା ଲୋକଙ୍କ ଭିଡ଼ । ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା ।

ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ଲକ୍ଷ୍ମୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଆତି ମହା ଉଦ୍ଭାସରେ । ଏହା ଭୋର ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା । ଭକ୍ତମାନେ ପରସ୍ପରକୁ ଚନ୍ଦନ ଲଗାଇବା ସହ ଫୁଲମାଳା ଦେଇଥାନ୍ତି । ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ । କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ । ଆଉ କେତେକ ମୁଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିଭ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା । ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ । ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ । ଏହି ଅବସରରେ କେତେକ ମାନସିକଧାରୀ ଶ୍ରଦ୍ଧାଳୁ ଜଳାଭିଷେକ କରିବାର ଲକ୍ଷ୍ୟ କରାଯାଇଛି ।

ଏହି ମେଳାରେ ସତ୍ୟସାର ସେବା ସଂଗଠନ, ସାହାବାଜିପୁର ସାଗର ସାଥୀ କ୍ଲବ, ଭଟପୁର ସ୍ବାଭିମାନ କ୍ଳବ ସହଯୋଗ କରିବା ସହିତ ବାଲେଶ୍ଵର-ଭଦ୍ରକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ନାଗରିକ ସୁରକ୍ଷା ପରିଷଦ ଆଦି ଲୋକମାନଙ୍କୁ ପାଣି, ଘୋଳଦହି ପ୍ରଦାନ କରିଥିଲେ । ଆଉ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସେବା କାର୍ଯ୍ୟ ଲାଗି ସାମିଲ ହୋଇଥିଲେ । ପାଟପର୍ବରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲ୍ଲାପରିଷଦ ସଦସ୍ୟା ପ୍ରତିମା ଚାନ୍ଦ, ଟ୍ରଷ୍ଟ ବୋର୍ଡ଼ର ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ମୌରସୀ-ନ୍ୟାସୀ ତଥା ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ସମିତି ସଦସ୍ୟ ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।