ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଧନୁଯାତ୍ରାର ନବମ ରଜନୀ ଉତ୍ସାହ ଓ ଭାବନାରେ ପୂର୍ଣ୍ଣ ହୋଇଥିଲା। ମାମୁ କଂସଙ୍କ ନିମନ୍ତ୍ରଣ ପାଇ ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଗମନ କରିବା ବେଳେ ଗୋପପୁରର ପରିବେଶ ସ୍ତବ୍ଧ ହୋଇଯାଇଥିଲା। ବେନି ଭାଇଙ୍କୁ ବିଦାୟ ଦେବା ସମୟରେ ଗୋପଗୋପୀଙ୍କ ଆଖିରେ ଅଶ୍ରୁ ଓ ମନରେ ବିୟୋଗର ବେଦନା ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସେହି ସମୟରେ ରାଜଦରବାରରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସଙ୍କ ଷଡ଼ଯନ୍ତ୍ର ମଞ୍ଚସ୍ଥ ହୋଇଥିଲା, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

ଆଜି ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ। ଏହି ରଜନୀରେ ଶ୍ରୀକୃଷ୍ଣ ଓ ବଳରାମ ମଥୁରାରେ ବୁଲାବୁଲି କରିବା ସହ କୁବଜଙ୍କୁ ଉଦ୍ଧାର କରିବେ। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆସନ୍ତାକାଲି ଧନୁଯାତ୍ରାର ଅନ୍ତିମ ରଜନୀ ହେବ ଏବଂ ଶନିବାର କଂସବଧ ଅନୁଷ୍ଠିତ ହୋଇ ମହୋତ୍ସବର ସମାପ୍ତି ଘଟିବ। ଗତ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଧନୁଯାତ୍ରାରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲୁଛି ଏବଂ ୨୦୨୬ ଜାନୁଆରୀ ୩ ତାରିଖରେ ସମାପ୍ତ ହେବ। ଏଥର ଧନୁଯାତ୍ରାରେ କଂସ ସମେତ ସମସ୍ତ ପ୍ରମୁଖ ଚରିତ୍ର ପାଇଁ ପୂର୍ବରୁ କଳାକାର ଚୟନ କରାଯାଇଥିଲା।

ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର କଂସ ଅଭିନେତା ଭାବେ ମନୋନୀତ ହୋଇଥିବାବେଳେ ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ହେମନ୍ତ ପ୍ରଧାନ ସେନାପତି ଓ ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଏହି ସମସ୍ତ ଘୋଷଣା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କରାଯାଇଥିଲା।