ଧଉଳି ଥାନା ପୁଲିସ ଗତ ସପ୍ତାହରେ ସ୍ଥାନୀୟ ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ୨ ଅପରାଧୀଙ୍କୁ ଗିରଫ କରିଛି । ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପଞ୍ଜାବୀ କଲୋନୀର ଗୋପି ଓରଫ ଗୋପିନାଥ ରାଉତ(୨୪) ଓ ବଡ଼ଗଡ଼ ଥାନା ମହିଷାଖାଲ ବସ୍ତିର ଓମ୍ ଓରଫ ଓମ୍ପ୍ରକାଶ ମହାନ୍ତି(୧୯) । ପୁଲିସ ସେମାନଙ୍କ ଠାରୁ ୨ଟି ଖଣ୍ଡା ଜବତ କରିଛି । ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇ କହିଛନ୍ତି କି, ଗତମାସ ୨୮ ତାରିଖ ରାତି ସାଢ଼େ ୯ଟାବେଳେ ଶିଶୁପାଳଗଡ଼ର ଉତ୍ତମ ମହାପାତ୍ର ଓ ଅନ୍ୟ ୭ ଜଣ ମିଶି ନିଶାଶକ୍ତ ଅବସ୍ଥାରେ ଯାହାକୁ ପାରିଲେ ଗୋଡ଼ାଇ ହାଣିଥିଲେ । ତେବେ ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉତ୍ତମ ମହାପାତ୍ରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ଗିରଫ କରିବା ଲାଗି ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଆକ୍ରମଣକାରୀମାନେ କିଛି ବାଇକ୍କୁ ହଣାହଣି କରିବା ସହ ପତିତପାବନ କ୍ଲବ ଘର କବାଟକୁ ମଧ୍ୟ ହାଣି ପକାଇଥିଲେ । ଆକ୍ରମଣକାରୀମାନେ ନୂଆଗାଁ ଛକରେ ଜଣେ ପରିବା ଦୋକାନୀଙ୍କୁ ମଧ୍ୟ ହାଣି ପକାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ଆକ୍ରମଣରେ ଆହତ ହୋଇଥିବା ଶିଶୁପାଳଗଡ଼ର ସୌରଭ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା । ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ଜୋନ-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ ଏହି ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲେ ହେଁ କାବୁ କରାଯାଇ ପାରିନଥିଲା। ଗଣ୍ଡଗୋଳ ପରେ ସେମାନେ ଫେରାର ହୋଇଯାଇଥିଲେ। ଗତକାଲି ଉଭୟଙ୍କୁ ଧରିବା ପାଇ ଧଉଳି ଥାନା ପୁଲିସର ଏକ ଟିମ୍ ବିଳମ୍ବିତ ରାତିରେ ପ୍ରଥମେ ଲକ୍ଷ୍ମୀସାଗର ଓ ପରେ ବଡ଼ଗଡ଼ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ସହାୟତାରେ କାବୁ କରିବାରେ ସକ୍ଷମ ହୋଇଥିଲା।