ଶିବରାତ୍ରି ଦେଖି ଘରକୁ ଫେରୁଥିବା ବେଳେ ଦୁଇ ମୃତ, ଜଣେ ଆହତ

କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଦୁରୁର୍ବା ଗ୍ରାମର ଆନ୍ଧାରି ଗାଡ଼ ବୁଲାଣିଆ ଠାରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ, ସେମିଳିଗୁଡା ବ୍ଲକ ସାଡ଼ାମ ପଂଚାୟତର କେନାଲଗୁଡ଼ା ଗ୍ରାମର ତିନି ଜଣ ଯୁବକ ପୁର୍ଣଚନ୍ଦ୍ର ଗେମେଲ, ଗଙ୍ଗାଧର ଖରା ଓ ତ୍ରିପତି ଖରା, ଗତକାଲି ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମରେ ଶିବରାତ୍ରି ଯାତ୍ରା ଦେଖି ଓଡି 10ଏମ 0967 ସ୍ପଲେଣ୍ଡାର ଦୁଇ ଚକିଆ ମଟର ସାଇକେଲରେ ଫେରୁଥିଲେ |

ଏତିକିବେଳେ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ଭାରସାମ୍ୟ ହରାଇ ଦୁରୁବା ବ୍ରିଜ ତଳକୁ ଖସିପଡ଼ିଥିଲେ |

ଏହି ଦୁର୍ଘଟଣାରେ ପୂର୍ଣ୍ଣଚନ୍ଦ୍ର ଗେମେଲ ଓ ଗଙ୍ଗାଧର ଖରାଙ୍କର ମୃତ୍ୟୁ ଘଟିଥିବାବେଳେ ତ୍ରିପତି ଖରାଙ୍କୁ ଆହତ ଅବସ୍ଥାରେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ଏହି ଘଟଣାରେ ପାଡୁଆ ପୋଲିସ 28/2025ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି |