
ଲାଞ୍ଚ ଲୋଭରେ ଲେଡି ଅଫିସର। ନଗଦ ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଆଜି ଦୁଇ ଜଣ ମହିଳା ଅଧିକାରୀ ଧରା ପଡିଛନ୍ତି । ଜଣେ ଥାନା ବାବୁଆଣୀ ହୋଇଥିବା ବେଳେ ଆଉ ଜଣେ ଜେଣ୍ଡର କୋଅର୍ଡିନେଟର । ଥାନା ବାବୁଆଣୀଙ୍କ ଠାରୁ ଲକ୍ଷେ ଟଙ୍କା ଜବତ ହୋଇଥିବା ବେଳେ ଜେଣ୍ଡର ମ୍ୟାଡମ୍ ଙ୍କ ଠାରୁ 31 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।
ଭିଜିଲାନ୍ସ ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ଜଣେ କ୍ୱାରି ଲିଜଧାରୀଙ୍କୁ ବିନା ବିନା ହଇରାଣ ହରକତରେ ବ୍ୟବସାୟ ଚଳାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି ଏହି ଟଙ୍କା ଗ୍ରହଣ କରିବା ସମୟରେ ବୌଦ୍ଧ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଶ୍ରୀମତୀ ରାଉତରାୟଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ହରଭଙ୍ଗା ଆଇଆଇସିଙ୍କ ବିରୋଧରେ ଏବେ ଅଧିକ ତଦନ୍ତ ଚାଲିଛି। ସେହିପରି ବଲାଙ୍ଗିର ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ଜଣେ ସ୍କୁଲ ହେଡମାଷ୍ଟର ଓ ଏକ୍ସ-ହଷ୍ଟେଲ ଇନଚାର୍ଜଙ୍କ ଠାରୁ ବ୍ୟବହାର ପ୍ରମାଣପତ୍ରର ସମାୟୋଜନ/ଅନୁମୋଦନ ଏବଂ ତାଙ୍କ ସପକ୍ଷରେ କ୍ଲିୟରାନ୍ସ ପ୍ରମାଣପତ୍ର ପ୍ରଦାନ ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ମାଗି ଗ୍ରହଣ କରିବା ସମୟରେ ବଲାଙ୍ଗୀର ଓଡିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ଯୋଶୀଙ୍କ ଠାରୁ ସମସ୍ତ ୩୧ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଯୋଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶ୍ରୀମତୀ ସାହୁଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।