
ଲାଞ୍ଚ ମାମଲାରେ କଟକ CRRI ଥାନାର ଥାନା ଅଧିକାରୀ IIC ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ। ଭୁବନେଶ୍ୱର ରାଜମହଲ ଛକ ନିକଟରୁ ଭିଜିଲାନ୍ସ ଟିମ୍ ବିଜୟଙ୍କୁ ହାତେନାହାତେ ଧରିଥିବା ସୂଚନା ମିଳିଛି।
ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବିଜୟ କୁମାର ବାରିକଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଅଭିଯୋଗକାରୀଙ୍କ ସୂଚନା ଆଧାରରେ ପୂର୍ବରୁ ଯୋଜନା କରାଯାଇଥିବା ଟ୍ରାପ୍ରେ ଏହି ଗିରଫ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଛି।
ଗିରଫ ପରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ବିଜୟଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଥିଲା। ତଲାଶି ସମୟରେ ସେଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପଚରାଉଚରା ଓ ତଦନ୍ତ କରାଯିବ। ଘଟଣାକୁ ନେଇ ପୋଲିସ ମହଳରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି।