ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଦିନଠାରୁ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଦାର ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ISRO କୁ ପଠାଇଛନ୍ତି। ଏହି ଭିଡିଓରେ, ରୋଭର ଏକ ସୁରକ୍ଷିତ ମାର୍ଗ ସନ୍ଧାନରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଥିବା ଦେଖାଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ନାଚୁଥିବା ପରି ଦେଖାଯାଉଛି।
ଏହି ଭିଡିଓ ସେୟାର କରିବାବେଳେ ISRO ଟୁଇଟ୍ କରି କହିଛନ୍ତି, ‘ଲ୍ୟାଣ୍ଡର୍ ବିକ୍ରମ ରୋଭର ପ୍ରଜ୍ଞାନଙ୍କ ସୁରକ୍ଷିତ ପଥ ଆଡକୁ ଘୂର୍ଣ୍ଣନ କରୁଥିବା ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓରେ ଲାଗୁଛି ଯେ ଜହ୍ନମାମୁଙ୍କ ପ୍ରାଙ୍ଗଣରେ ଜଣେ ପିଲା ଖେଳୁଛି ଏବଂ ତାଙ୍କ ମା ତାକୁ ସ୍ନେହରେ ଖେଳୁଥିବାର ଦେଖୁଛି ।
ଇସ୍ରୋ କହିଛି ଯେ, ଏଯାବତ୍ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ତୃତୀୟ ମିଶନ, ଚନ୍ଦ୍ରରେ ଥିବା ବୈଜ୍ଞାନିକ ପରୀକ୍ଷଣ ବର୍ତ୍ତମାନ ଜାରିରହିଛି। ଅବତରଣ ସଫଳ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଆୟୁ ୧୪ ଦିନ ରହିଛି। ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ୍ ପୃଥିବୀରେ ୧୪ ଦିନ ହେଲେ ଚନ୍ଦ୍ରରେ ଗୋଟିଏ ଦିନ ହୋଇଥାଏ। ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଦିନ ସମୟ ସରି ସରି ଆସୁଛି। ଆଉ ସାତ ଦିନ ପରେ ସେଠାରେ ରାତି ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ୍ ସାତ ଦିନ ସମାପ୍ତ କରି ଥିବାବେଳେ ଆଉ ସାତ ଦିନ ବାକି ରହିଛି। ଏହାପରେ ଚନ୍ଦ୍ରରେ ରାତି ହୋଇଯିବା ପରେ ସମଗ୍ର ପୃଷ୍ଠ ଅନ୍ଧକାରମୟ ହୋଇଯିବ, ଫଳରେ ଇସ୍ରୋକୁ ତଥ୍ୟ ପଠାଇବାରେ ଅସଫଳ ହେବେ ଲ୍ୟାଣ୍ଡର ଓ ରୋଭର୍।
ଉତକ୍ଷେପଣ ପରେ ପରେ ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ପେଲୋଡ ପ୍ରଥମ ପର୍ଯ୍ୟବେକ୍ଷଣ କରିଥିଲା। ଚାଷ୍ଟେ ହେଉଛି ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ପରୀକ୍ଷଣ। ଏହା ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାପିଥିଲା ଇସ୍ରୋ। ଏହା ବ୍ୟତୀତ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଦକ୍ଷିଣ ମେରୁରେ ସଲଫରର ଅନୁସନ୍ଧାନ କରିଛି। ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି ରୋଭର୍। ରୋଭରରେ ଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ମାଧ୍ୟମରେ ଏହି ତଥ୍ୟ ହାସଲ କରିଛି ଇସ୍ରୋ। ଏହାପରେ ସପ୍ତମ ଦିନରେ ରୋଭର୍ ପ୍ରଜ୍ଞାନରେ ଥିବା ହାଇ କ୍ୱାଲିଟି କ୍ୟାମେରା ନାଭକ୍ୟାମ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି। ଏହି କ୍ୟାମେରା ଲ୍ୟାଣ୍ଡର ଚିତ୍ର କଏଦ କରିଛି। ଆଗକୁ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ କରିବ ବୋଲି ଆଶା ରଖିଛି ଇସ୍ରୋ।