ରୋଗୀଙ୍କ ପାଇଁ ରୋଗର କାରଣ ପାଲଟିଛି ଡାକ୍ତରଖାନା । ଚାରିଆଲଡେ କୁଢ କୁଢ ଅଳିଆ ଆବର୍ଜନା । ବାଥରୁମର ଦୁର୍ଗନ୍ଧରେ ଫାଟିପଡୁଛି ନାକ । କେଉଁ କାଳରେ ବସିଥିବା ଟଏଲେଟର ପାନ୍ ଫାଟି ଯାଇଥିବା ବେଳେ ଅତି ଅବ୍ୟବସ୍ଥା ଭିତରେ ରୋଗୀମାନେ ଶୌଚ ଯାଆନ୍ତି । ବୁନ୍ଦାଏ ବର୍ଷା ହେଲେ କୋଭିଡ ଆଇସୋଲେସନ ଓ୍ବାର୍ଡ ପାଖରେ ଅଣ୍ଠୁଏ ଆଣ୍ଠୁଏ ପାଣି ଜମା ବାନ୍ଧୁଛି ।
କେତେକ ସ୍ଥାନରେ ଡାକ୍ତରଖାନାର କାନ୍ଥରେ ଅନାବନା ଗଛଲତା ମାଡିଗଲାଣି । ପରିସ୍ରା ପାଇଁ କରାଯାଇଥିବା ବ୍ୟବସ୍ଥାକୁ ଦେଖିଲେ ଲାଗୁଛି ତାହା କୌଣସି ବାଥରୁମର ସାଓ୍ବାର । କାହିଁକି ନା ଓ୍ବାସରୁମରେ ପାଣି ଟପଟପ ହୋଇ ଗଳୁଛି । ଭିତରକୁ ପଶିବା ଅସମ୍ଭବ । ସେପଟେ ଡାକ୍ତରଖାନା ଭିତରେ ମଧ୍ୟ ରୋଗୀଙ୍କ ଅବସ୍ଥା ଶୋଚନୀୟ ।
ଛାତରେ ବୁଡିଆଣି ବସାର ରାଜୁତି ଚାଲିଥିବା ବେଳେ ଚଟାଣରେ ଭଲଭାବେ ଝାଡୁ ଟିକିଏ ବି ମରାଯାଉନି । ମେଡିକାଲର ଭିତର ପାଖ ପରିବେଶ ପୂରା ଅସ୍ବଚ୍ଛ ଥିବା ବେଳେ ରୋଗକୁ ଆହ୍ବାନ କରୁଛି । ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।
ଆପଣ ଦେଖୁଥିବା ମେଡିକାଲଟି ହେଉଛି ଯାଜପୁର ଜିଲ୍ଲା କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦୃଶ୍ୟ । ମେଡିକାଲର ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ଅତି ଦୟନୀୟ । ତେଣୁ ଏହି ଚିତ୍ର ହିଁ ବୟାନ କରୁଛି ରୋଗୀଙ୍କ ପାଇଁ ଏହି ମେଡିକାଲରେ ପାଦେ ପାଦେ ବିପଦ ରହିଛି ।
ଶିଶୁଙ୍କୁ ପାଇଁ ଏହାର ପରିବେଶ ଅତ୍ୟନ୍ତ ବିପଦ୍ଜନକ ହୋଇପଡିଛି । ୧୦ ଟଙ୍କିଆ ଗୋଟାଏ ପାଉଁରୁଟିରୁ ଅଧେ ଜଣେ ରୋଗୀଙ୍କୁ ଦିଆଯାଉଥିବା ବେଳେ ଆଉ ଅଧେ ଅନ୍ୟଜଣେ ରୋଗୀଙ୍କୁ ଦିଆଯାଉଥିବା ଅଭିଯୋଗ ହେଉଛି ।
ରୋଗୀ ମାନେ ଅଭିଯୋଗ କରୁଛନ୍ତି ଯେ, ସରକାର ରୋଗୀଙ୍କି ଯେଉଁ ଖାଦ୍ୟ ଦେଉଛନ୍ତି ତାହା ସଠିକ ଭାବେ ରୋଗୀଙ୍କ ପାଖରେ ପହଞ୍ଚୁ ନାହିଁ ।