ରୁଷ ବିଶ୍ୱବିଦ୍ୟାଳୟରେ ଛୁରା ଆକ୍ରମଣ: 4 ଭାରତୀୟ ଛାତ୍ର ସହ ଅନେକ ଘାଇଲା

ରୁଷର ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲର କ୍ରୀଡାକକ୍ଷରେ ଘଟିଥିବା ଛୁରୀ ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ର, ଦୁଇ ଜଣ ପୁଲିସ ଅଧିକାରୀ ସହ ମୋଟ ଆଠ ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ବାଶକୋର୍ଟୋସ୍ତାନର ଉଫା ଥିବା ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିର ହଷ୍ଟେଲରେ ଜଣେ ୧୫ ବର୍ଷିୟ କିଶୋର ଛୁରୀ ନେଇ ପ୍ରବେଶ କରି ଛାତ୍ରମାନଙ୍କୁ ଆକ୍ରମଣ କରିଥିବାକୁ ରୁଷ ଗୃହ ମନ୍ତ୍ରଣାଳୟ ନିଶ୍ଚିତ କରିଛି।

ରୁଷସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାକୁ “ଦୁର୍ଭାଗ୍ୟଜନକ ଆକ୍ରମଣ” ବୋଲି କହିଛି ଏବଙ୍କୁହିଛି ଯେ ଚାରି ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି। ଦୂତାବାସ ସ୍ଥାନୀୟ ପ୍ରାଧିକାରୀମାନଙ୍କ ସହ ଯୋଗାଯୋଗରେ ଅଛି ଏବଂ କାଜାନ୍‌ରେ ଥିବା କନସୁଲେଟ୍ ଜେନେରାଲର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସହଯୋଗ କରିବା ପାଇଁ ଉଫାକୁ ପହଞ୍ଚିଛନ୍ତି।ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଛୁରୀରେ ଆକ୍ରମଣ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ କହିଛନ୍ତି,ଆକ୍ରମଣକାରୀଙ୍କୁ ଗିରଫ କରିବାବେଳେ ସେ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ନିଜକୁ ମଧ୍ୟ ଶାରୀରିକ କ୍ଷତି ପହଞ୍ଚାଇଥିଲେ। ତାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାରି ଜଣ ଛାତ୍ର ଏବଂ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ସ୍ଥାନୀୟ କ୍ଲିନିକାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୋଦୀଙ୍କୁ ଚିଠି ଲେଖିଲା ଏଆଇଏମ୍‌ଏସ୍‌ଏ
ରୁଷିଆନ୍ ଗଣରାଜ୍ୟ ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ସମ୍ପର୍କରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏମ୍‌ଏସ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଗଭୀର ଚିନ୍ତା ପ୍ରକାଶ କରିଛି। ସଂଗଠନ ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛି ଓ ପୀଡିତଙ୍କ ପାଇଁ ନ୍ୟାୟ ତଥା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ
ଚିଠିରେ କୁହାଯାଇଛି, ଏପରି ଘଟଣା କେବଳ ଛାତ୍ରଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରେ ନାହିଁ ବରଂ ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରେ। ଡାକ୍ତର ସଂଗଠନ ଦାବି କରିଛି, ଭାରତୀୟ ଛାତ୍ରଙ୍କ ପାଇଁ ସ୍ପଷ୍ଟ ପରାମର୍ଶ ଜାରି କରାଯାଉ ତଥା ହେଲ୍ପଲାଇନ୍ ଭଳି ସୁବିଧା ଉପଲବ୍ଧ କରାଯାଉ ଯାହା ଦ୍ୱାରା ସେମାନେ ଯେକୌଣସି ସଙ୍କଟ ସମୟରେ ତୁରନ୍ତ ସହାୟତା ପାଇପାରିବେ। ମସ୍କୋରେ ଥିବା ଭାରତୀୟ ଦୂତାବାସ ଶନିବାର ବିଳମ୍ବିତ ରାତିରେ ଏହି ଘଟଣାକୁ ନିଶ୍ଚିତ କରି ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଆକ୍ରମଣ ବୋଲି କହିଛି। ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ଓ ସୂଚନା ପାଇବା ପାଇଁ ଦୂତାବାସ ରୁଷ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି ବୋଲି କହିଛି। କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଉଫା ପଠାଯାଇଛି।

ନୂଆଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଅଧିକାରୀମାନେ କହିଛନ୍ତି, ବିଦେଶରେ ଛାତ୍ରମାନଙ୍କ ସୁରକ୍ଷା ସେମାନଙ୍କର ପ୍ରାଥମିକ ଚିନ୍ତା। କୂଟନୈତିକ ସୂତ୍ରଗୁଡ଼ିକ ସୂଚିତ କରିଛନ୍ତି, ଦୂତାବାସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଅପଡେଟ୍ ପ୍ରଦାନ ଜାରି ରଖିବ। ରୁଷିଆ ଫେଡେରାଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।