ବାହାଘର ଖୁସି ପରିବର୍ତ୍ତିତ ହେଲା ଶୋକରେ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଲିଟିଗୁଡ଼ା ଛକ ନିକଟରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଏକ ସମ୍ପର୍କୀୟଙ୍କ ବାହାଘର ଭୋଜିରେ ଯୋଗ ଦେବା ପାଇଁ କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାରୁ ବନ୍ଧୁମାନେ ଆସିଥିଲେ। ଭୋଜି ସାରି ବୁଲାବୁଲି କରିବାକୁ ଯାଇ ଏକ ପେସନ ପ୍ରୋ (OD 08 2961) ବାଇକ୍ରେ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଆପାଚି (OD 08 T 8337) ବାଇକ୍ ସହ ମୁନିଗୁଡ଼ା-ଭବାନୀପାଟଣା ମୁଖ୍ୟ ରାସ୍ତାରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ପ୍ରଥମେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦ୍ୱୟକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ରାସ୍ତାରେ ଗାଡ଼ି ଚଲାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କରନ୍ତୁ ଏବଂ ଗତି ସୀମା ପ୍ରତି ଧ୍ୟାନ ଦିଅନ୍ତୁ।