ରାସ୍ତା ମଝିରେ ଶୁଖୁଥିବା ବାଣ ଉପରେ କାର ଚଢିଯିବାରୁ ହେଲା ଭୟଙ୍କର ବିସ୍ଫୋରଣ। କାର କ୍ଷତିଗ୍ରସ୍ତ ହେବା ସହ ଘରସବୁରେ ସୃଷ୍ଟି ହୋଇଛି ବିରାଟ ଫାଟ। ଏପରି ଘଟଣା ଘଟିଛି,କେନ୍ଦ୍ରାପଡା ସଦର ଥାନା ଅଧୀନ ଖଣ୍ଡିଆବନ୍ଧ ଗାଁରେ। ଗାଁ ରାସ୍ତା ଉପରେ ବାଣ ଶୁଖୁ ଥିବା ବେଳେ ଏକ କାର୍ ଚଢିଯାଇଥିଲା ବାଣ ଉପରେ। ଏହା ପରେ ଭୟଙ୍କର ଶବ୍ଦ କରି ବାଣସବୁ ଢୋ ଢା ହୋଇ ଫୁଟିବା ସହ ଖଣ୍ଡମଣ୍ଡଳକୁ ଥରାଇ ଦେଇଥିଲା। କେହି କିଛି ବୁଝିବା ଆଗରୁ ଗାଁର ଘର ସବୁ ଥରିବା ସହ କାହା କାନ୍ଥରୁ ଟିଭି ଖସିପଡିଥିଲା ତ କାହାର ଆଉ କଣ। ହଠାତ୍ କଣ ହେଲା କେହି ବୁଝି ପାରିନଥିଲେ। ଭୟରେ ଲୋକେ ପଦାକୁ ଧାଇଁଥିଲେ। କବାଟ ଖୋଲିବା କ୍ଷଣି ଚାରିଆଡେ ଥିଲା ଧୂଆଁ ଆଉ ଧୂଆଁ। ତେବେ ଏହିପରି ବାଣ ଶୁଖାଇବାକୁ ନେଇ ଆଗରୁ ବାଣପ୍ରସ୍ତୁତକାରୀ ରମାକାନ୍ତ ମଲିକ ଓରଫ ବିଟୁକୁ ଲୋକେ ବିରୋଧ କରୁଥିଲେ ମଧ୍ୟ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହେଉଛି।
ସେପଟେ ଏହି ବିସ୍ପୋରଣରେ କାରର ଆଗ ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ କାର୍ ଚାଳକ ଡାକ୍ତର୍ ସୁଜିତ୍ ସାମଲ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ମେଡିକାଲରେ ନିଆଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣା ଘଟିବା ପରେ ରାସ୍ତାରେ ବାଣ ଶୁଖାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ରମାକାନ୍ତ ମଲିକ ଫେରାର୍ ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜୀବନ୍ତ ବାଣ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି…