ରାତିର ଯାତ୍ରା ହେଲା ଶେଷ ଯାତ୍ରା

ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ରାତି ପ୍ରାୟ ୮ଟା ସମୟରେ ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରଦାର ଧକ୍କା ହୋଇଥିଲା।

ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH-353 ତିଖାଲି ଛକ ନିକଟରେ ଗତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ଶୋକସନ୍ତପ୍ତ କରିଦେଇଛି। ଏକ କାର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ପିଟିହେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଯୁବକଙ୍କୁ କୋମନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ମୃତ ଯୁବକମାନେ ହେଲେ କୋମନା ଗାଁର ଅବରାର ଓରଫ ବିଟୁ ଖାନ (୨୪), ଅଜନାନ ମହମ୍ମଦ (୨୫) ଓ ମେହଫୁଜ ମହମ୍ମଦ (୨୩) ବୋଲି ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ମିଶି ଉଦ୍ଧାର କରି ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮ଟା ସମୟରେ କୋମନା ଗାଁର ୭ ଜଣ ଯୁବକ ଏକ କାରରେ ଖଡ଼ିଆଳ ଅଭିମୁଖେ ଯାଉଥିଲେ। ତିଖାଲି ଛକ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଏକ ଗଛରେ ପିଟିହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା।

ଦୁର୍ଘଟଣା ଖବର ପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଦ୍ରୁତ ଗତି ନା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ କୋମନା ଗାଁରେ ଶୋକର ଛାୟା ଖେଳିଯାଇଛି।