ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ମହଳରେ ଚଞ୍ଚଲ୍ୟତା ଖେଳିଯାଇଛି | କିଏ ଯିବେ ରାଜ୍ୟସଭାକୁ, ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା | ରାଜ୍ୟର ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ତିବ୍ର ଧରିଛି |

ଖବର ଅନୁସାରେ, ଦିନେ ଦୁଇଦିନ ମଧ୍ୟରେ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ। ଗତକାଲି ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ନାମାଙ୍କନ ଫର୍ମ ନେଇଥିବା ଖବର ମିଳିଛି। ଏହା ପରେ ତାଙ୍କ ନାଁ ପୁନଃ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଆସିଛି। ସବୁଥର ଭଳି ଏଥର ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ବୋଲି ଦଳୀୟ ମହଳରେ ଆଲୋଚନା ଚାଲିଛି।
ଅନ୍ୟପଟେ ବିଜେପି ମଧ୍ୟ କୌଣସି ମୁହୂର୍ତ୍ତରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ରେସ୍ରେ ସବୁଠାରୁ ଆଗରେ ଅଛନ୍ତି ସୁଜିତ୍ କୁମାର। ସେହିପରି ମନମୋହନ ସାମଲ, ବିଜୟପାଲ ସିଂ ତୋମାର, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଶେଷ ନିଷ୍ପତ୍ତି ପାର୍ଟିର ସଂସଦୀୟ ବୋର୍ଡ ବୈଠକରେ ହେବ। ବିଧାନସଭାରେ ଦଳଗୁଡ଼ିକର ସଂଖ୍ୟାବଳକୁ ଦେଖିଲେ ରାଜ୍ୟସଭା ସିଟ୍ ବଣ୍ଟନରେ ଗଣିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହିପରିସ୍ଥିତିରେ ଶେଷ ପର୍ଯ୍ୟନ୍ତ କେଉଁ ଦଳ କାହାକୁ ପ୍ରାର୍ଥୀ କରେ, ସେଥିପାଇଁ ରାଜନୈତିକ ମହଳର ନଜର ରହିଛି। ରାଜ୍ୟସଭା ନିର୍ବାଚନକୁ ନେଇ ଆଗାମୀ କିଛି ଦିନ ରାଜ୍ୟ ରାଜନୀତିରେ ତିବ୍ର ଚଞ୍ଚଳତା ଜାରି ରହିବା ସମ୍ଭାବନା ରହିଛି।