ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ

କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରି ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି କହିବା ସହ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ସେ କଂଗ୍ରେସ ଉପରେ ପ୍ରହାର କରିଛନ୍ତି। ଆଜି କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ନୂତନ ଟ୍ରେନ ସେବାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ କେରଳର ବିକାଶକୁ ନୂତନ ଗତି ଦେଇଛି। କେରଳର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରାଯାଇଛି, ଯାହା ଆର୍ଥିକ ବିକାଶ ସହିତ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ଦେବ। ଏହି ସମସ୍ତ ପ୍ରକଳ୍ପ ତିରୁବନନ୍ତପୁରମକୁ ଦେଶର ପ୍ରମୁଖ ବିକାଶ କେନ୍ଦ୍ର ମଧ୍ୟରେ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।