ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଶପଥ ନେଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ । ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହ ବହୁ ରାଜନୈତିକ ବ୍ୟକ୍ତି ବିଶେଷ, ରାଜ୍ୟର ବରିଷ୍ଠ ବ୍ୟକ୍ତିଗଣ ତଥା ନବନିଯୁକ୍ତ ରାଜ୍ୟପାଳଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ପରେ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ତେବେ ଗତକାଲି ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରଘୁବର। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଛନ୍ତି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେନିର୍ବାଚିତ ହୋଇଥିଲେ ।

୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ ।

Leave a Reply

Your email address will not be published. Required fields are marked *