
ରାଇରଙ୍ଗପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲି ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୯୪ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୫ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଆବେଦନର ଗୁରତ୍ୱକୁ ବିଚାର କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଜଣଙ୍କୁ ୧୦,୦୦୦ ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୧୦, ୦୦୦ ଟଙ୍କା ଜିଲ୍ଲାପାଳ ମଂଜୁର କରିଛନ୍ତି। ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।