ରାଇରଙ୍ଗପୁର କଚେରୀ ପଡ଼ିଆରେ ରବିବାର ସନ୍ଧ୍ୟା ୬ ଘଟିକା ସମୟରେ ଓଡ଼ିଶା ଜଙ୍ଗଲ ବିଭାଗ ପକ୍ଷରୁ ୫ ଦିବସୀୟ ଆଞ୍ଚଳିକ କଳିଙ୍ଗ ହାର୍ବାଲ ମେଳାର ଭବ୍ୟ ଉଦଘାଟନ ହୋଇଯାଇଛି | ଏହି ମେଳାର ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ. ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ|
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀ, ଏସିଏଫ୍ ପ୍ରଭାକର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ର ସଭାପତିତ୍ୱ କରିଥିଲେ। ଅଧ୍ୟାପିକା ଡଃ ତନ୍ମୟ ରଥ ମଞ୍ଚ ପରିଚାଳନା କରିଥିଲେ | ଅତିଥିଗଣ ତାଙ୍କ ଭାଷଣରେ କହିଥିଲେ ଯେ, ପ୍ରକୃତି ଭଗବାନଙ୍କ ସର୍ଜନା | ବୃକ୍ଷ, ଲତା, ଗୁଳ୍ମ ଓ ଔଷଧୀୟ ଉଦ୍ଭିଦ ମାନବ ଜୀବନ ଏବଂ ଜୀବଜନ୍ତୁଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏକ ଅମୂଲ୍ୟ ଦାନ | କମ୍ ଖର୍ଚ୍ଚରେ ଦୀର୍ଘକାଳୀନ ସୁସ୍ଥତା ପାଇଁ ଆୟୁର୍ବେଦ ହିଁ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ସେମାନେ ମତ ପ୍ରକାଶ କରିଥିଲେ |
ବୃକ୍ଷର ଚେର , ମୂଳ, ଡାଳ, ପତ୍ର ଓ ଗୁଳ୍ମରୁ ପ୍ରାଚୀନ ପରମ୍ପରା ଅନୁଯାୟୀ ଦୀର୍ଘବର୍ଷର ସାଧନା ଓ ପରୀକ୍ଷା ମାଧ୍ୟମରେ ବିଦ୍ୱାନ ବୈଦ୍ୟମାନେ ବିଭିନ୍ନ ରୋଗ ନିରାକରଣ ପାଇଁ ଔଷଧ ପ୍ରସ୍ତୁତ କରିଆସୁଛନ୍ତି | ଏହି ଔଷଧ ସେବନ କରି ଅନେକ ଲୋକ ନିଜ ଜୀବନକୁ ସୁରକ୍ଷିତ କରିପାରୁଛନ୍ତି |
ଏହି ଆଞ୍ଚଳିକ କଳିଙ୍ଗ ହାର୍ବାଲ ମେଳାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ବୈଦ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଔଷଧ, ଚେରିମୂଳି ଆଧାରିତ ଉପଚାର ପ୍ରଣାଳୀକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚାଇବା, ଆୟୁର୍ବେଦ ପ୍ରତି ବିଶ୍ୱାସ ଓ ସଚେତନତା ସୃଷ୍ଟି କରିବା ଏବଂ ଔଷଧୀୟ ବୃକ୍ଷ ମାଧ୍ୟମରେ ଜୀବନ ଓ ଜୀବିକାକୁ ଆଗକୁ ବଢେଇବା | ସରକାର ମଧ୍ୟ ଔଷଧୀୟ ବୃକ୍ଷ ରୋପଣ, ଔଷଧ ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ରାଶି ଏବଂ ଔଷଧୀୟ ବଗିଚା ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି | ଆୟୁର୍ବେଦ ଚିକିତ୍ସାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ସହ କମ୍ ଖର୍ଚ୍ଚରେ ସୁସ୍ଥ ଜୀବନ ରକ୍ଷା ସମ୍ଭବ ବୋଲି ଅତିଥିମାନେ କହିଥିଲେ |
ଏହି ହାର୍ବାଲ ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ବଲାଙ୍ଗୀର, ସମ୍ବଲପୁର, ରାଉରକେଲା, ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଆଦି ଅଞ୍ଚଳରୁ ୬୦ରୁ ଅଧିକ ପ୍ରସିଦ୍ଧ ବୈଦ୍ୟ ନିଜ ନିଜ ଷ୍ଟଲ୍ରେ ଔଷଧ ପ୍ରଦର୍ଶନ କରୁଛନ୍ତି ଏବଂ ଲୋକମାନଙ୍କୁ ସଚେତନ କରାଉଛନ୍ତି | ରାଇରଙ୍ଗପୁର ବନବିଭାଗର ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତିଙ୍କ ସମେତ ସମସ୍ତ ରେଞ୍ଜର ଓ ବନ କର୍ମଚାରୀ ୫ ଦିବସୀୟ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି |