ଯୋଡ଼ା ସହର ଦେଇ ଯାଇଥିବା ଫ୍ଲାଇ ଓଭରରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଘଟଣା ସ୍ଥଳରେ ଚାପି ହୋଇ ଜଣେ ହାଇୱା ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରି ନଥିବା ବେଳେ ଫ୍ଲାଇ ଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ଘଟଣା ସ୍ଥଳରେ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ଗତକାଲି ରାତିରେ ଫ୍ଲାଇ ଓଭର ପିଲାର ନଂ ୫୯ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି। ଘରୋଇ ଖଣି କମ୍ପାନୀ JSW ର ଏକ ହୋଲ୍ ପ୍ୟାକ୍ ଡାଲାକୁ ଗୋଟିଏ ଟ୍ରେଲରରେ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରେଲରର ବାହାରକୁ ବାହାରି ରହିଥିଲା । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ଆଇରନ୍ ଓର୍ ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଜୋରଦାର ଟକ୍କର ମାରି ପଛପଟୁ ଆସୁଥିବା ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା ଏବଂ ଗାଡ଼ି ଭିତରେ ଚାପି ହୋଇ ହାଇୱା ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ରାତିରେ ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲା ବାହାରକୁ ବାହାରି ରହିଥିବା ଦେଖି ନ ପାରିବାରୁ ହାଇୱାଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଯୋଡ଼ା ପୋଲିସ୍ ଗାଡ଼ି ଗୁଡ଼ିକୁ ଜବତ୍ କରି ତଦନ୍ତ ଚଳାଇଛି ।