
ମୌନୀ ଅମାବାସ୍ୟା ଦିନ ଘଟିଥିବା ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରି ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ମାଘ ମେଳାକୁ ଅଧାରୁ ଛାଡ଼ି କାଶୀ ଅଭିମୁଖେ ଯାତ୍ରା କରିଛନ୍ତି | ବୁଧବାର ସକାଳେ ହଠାତ୍ ଏହି ନିଷ୍ପତ୍ତି ନେଇ ସେ ପ୍ରୟାଗରାଜରୁ ବାରାଣସୀ ପ୍ରସ୍ଥାନ କରିଥିବା ଖବର ମିଳିଛି | ମୌନୀ ଅମାବାସ୍ୟା ଦିନ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଥିବା ବିବାଦ ପରେ ଶଙ୍କରାଚାର୍ଯ୍ୟ ଏହି ବର୍ଷ ସଙ୍ଗମରେ ସ୍ନାନ କରିନଥିଲେ | ଏହା ସହ ସେ ନିଜ ଶିବିରକୁ ଯାଇନଥିଲେ ଏବଂ ୧୧ ଦିନ ଧରି ଶିବିର ବାହାରେ ଧାରଣାରେ ବସି ରହିଥିଲେ |
ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ମେଳା ଛାଡ଼ିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା | ପ୍ରଥମ ଥର ପାଇଁ ଶଙ୍କରାଚାର୍ଯ୍ୟ ମାଘ ମେଳାକୁ ଯାଇ ସ୍ନାନ ନ କରି ଫେରିଆସିଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି | ମାଘ ମେଳା ପ୍ରତିବର୍ଷ ମକର ସଂକ୍ରାନ୍ତିରୁ ମହାଶିବରାତ୍ରି ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ଚାଲିଥାଏ | କିନ୍ତୁ କଳ୍ପବାସୀମାନେ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାନ୍ତି | ସାଧୁସନ୍ଥଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ମାଘ ମେଳା ଶେଷ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଶଙ୍କରାଚାର୍ଯ୍ୟ ପୂର୍ବରୁ କହିଥିଲେ | ଏହାସହ ନିଜ ପ୍ରାଣ ଉପରେ ବିପଦର ଆଶଙ୍କା ଥିବା ମଧ୍ୟ ସେ ପ୍ରକାଶ କରିଥିଲେ |
ଏହି ଘଟଣାକ୍ରମରେ ରାଜନୈତିକ ଓ ପ୍ରଶାସନିକ ମହଳରେ ମଧ୍ୟ ପ୍ରତିକ୍ରିୟା ଦେଖାଦେଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଟିକସ ଅଧିକାରୀ ଇସ୍ତଫା ଦେଇଛନ୍ତି | ଅଯୋଧ୍ୟା ଜିଏସ୍ଟି ଡେପୁଟି କମିସନର ପ୍ରଶାନ୍ତ ସିଂହ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇଥିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ନିଜର ମନୋଭାବ ସେଥିରେ ପ୍ରକାଶ କରିଛନ୍ତି |