ମେଣ୍ଟରେ ଫାଟ, କ’ଣ ନିର୍ବାଚନ ପର୍ବରୁ ଭାଙ୍ଗିଯିବ ‘ଇଣ୍ଡିଆ’ ମେଣ୍ଟ?

କଣ ଇଣ୍ଡିଆ ମେଣ୍ଟ ଆଉ ଆଗକୁ ବଢିପାରିବନି । ଏକଥା ଏଥିପାଇଁ ଏବେ ମୁଣ୍ଡ ଟେକିଛି କାରଣ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ୍ ବଣ୍ଟନକୁ ନେଇ ଅଖିଳେଶ ନିରାଶ ହେବା ପରେ ଗୋଟିଏ ପରେ ଗୋଟିଏ ମେଣ୍ଟ ବିରୋଧି ବୟାନ ଦେଇଚାଲିଛନ୍ତି । କମଲ ନାଥ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟିକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଅଖିଳେଶ । ଅନ୍ୟପଟେ କମଲନାଥଙ୍କୁ ଏ ବିଷୟରେ ପଚାରିବାରୁ ସେ ଦେଇଥିବା ପ୍ରତିକ୍ରିୟା ଅଖିଳେଶଙ୍କୁ ଅଣଦେଖା ଭଳି ସ୍ପଷ୍ଟ ବାରି ହେଉଛି । ଏବେ ପୁଣି ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ଅଖିଳେଶ ।

ବିଜେପିକୁ ଗାଦିଚ୍ୟତ କରିବା ଉଦ୍ଦେଶ୍ୟରେ ହୋଇଥିବା ଇଣ୍ଡିଆ ମେଣ୍ଟରେ ମତାନ୍ତର ଓ ମନାନ୍ତର ଥମୁନି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏକ ନିର୍ବାଚନୀ ପ୍ରଚାରରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରିଛନ୍ତି, ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ଥିଲା ସେତେବେଳେ ସେମାନେ ପଛଘୁଞ୍ଚା ଦେଇଥିଲେ । ସ୍ୱାଧିନତା ପରଠାରୁ ଜାତିଗତ ଜନଗଣନା ପାଇଁ ଦାବି ହୋଇ ଆସୁଥିଲା । ହେଲେ କଂଗ୍ରେସ ସେତେବେଳେ ଏହାକୁ ଗୁରୁତ୍ୱ ଦେଇନଥିଲା । ହେଲେ ଏବେ କଂଗ୍ରେସ ପାରମ୍ପରିକ ଭୋଟ ହାତେଇବା ପାଇଁ ଦଳିତ ଓ ପଛୁଆ ବର୍ଗଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଅଖିଳେଶ କହିଛନ୍ତି । ଦେଶର ରାଜନୀତି ପାରଦ ଏବେ ହାଇ ଥିବା ବେଳେ ଇଣ୍ଡିଆ ମେଣ୍ଟରେ ଫାଟ ତାପମାତ୍ରା ଆହୁରି ବଢାଇ ଦେଉଛି । କଂଗ୍ରେସକୁ ଅଖିଳେଶଙ୍କ ଏଭଳି ସିଧାସଳଖ ଆକ୍ଷେପ ଇଣ୍ଡିଆ ମେଣ୍ଟ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ହେଲେ ଆଉ ଏକ ରୋଚକ କଥା ହେଉଛି, ସାମ୍ବାଦିକଙ୍କ ଇଣ୍ଡିଆ ମେଣ୍ଟ ସମ୍ପର୍କିତ ପ୍ରଶ୍ନକୁ ଅଖିଳେଶ ଏଡାଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *