ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷର ବାଳକଙ୍କ ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ସମ୍ମୁଖରେ ସମସ୍ତ ପ୍ରତିକୂଳ ପରିସ୍ଥିତି ହାର ମାନିଛି। ଭୟାବହ ସମୁଦ୍ର ଓ ବଡ଼ ବଡ଼ ଲହଡ଼ିକୁ ଅବହେଳା କରି ୪ ଘଣ୍ଟା ଧରି ଅବିରତ ପହଁରି ଶେଷରେ ନିଜ ମାଆ ଓ ଦୁଇ ସାନ ଭାଇଭଉଣୀଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିପାରିଛନ୍ତି ଅଷ୍ଟିନ୍ ଆପେଲବି।
ଅଷ୍ଟିନ୍ ଶୁକ୍ରବାର ଦିନ ନିଜ ପରିବାର ସହ ଛୁଟି କାଟିବା ଉଦ୍ଦେଶ୍ୟରେ ପର୍ଥରୁ ପଶ୍ଚିମ ଅଷ୍ଟ୍ରେଲିଆର କ୍ୱିଣ୍ଡାଲପ୍କୁ ଯାଇଥିଲେ। ସେଠାରେ ଥିବା ହୋଟେଲରୁ କାୟାକ୍ ଓ ପ୍ୟାଡେଲ୍ ବୋର୍ଡ ଭଡାରେ ନେଇ ସମୁଦ୍ରକୁ ପସିଥିଲେ। କିନ୍ତୁ ହଠାତ୍ ପବନର ବେଗ ବଢ଼ିଯିବାରୁ ଅଷ୍ଟିନ୍, ତାଙ୍କ ମାଆ ଏବଂ ଦୁଇ ସାନ ଭାଇଭଉଣୀ ଧୀରେଧୀରେ ସମୁଦ୍ରର ଗଭୀର ଅଞ୍ଚଳକୁ ଭାସି ଯାଇଥିଲେ।ଗଭୀର ସମୁଦ୍ରରେ ଅଷ୍ଟିନ ଓ ତାଙ୍କ ପରିବାର ଫସି ଯାଇଥିବାବେଳେ ସମୁଦ୍ର କୂଳକୁ ଫେରି ପାରିନଥିଲେ। ଶେଷରେ ସମୁଦ୍ରରେ ଫସି ରହିଥିବା ନିଜ ପରିବାରକୁ ଉଦ୍ଧାର କରିବାକୁ ଅଷ୍ଟିନଙ୍କୁ ଏକାକୀ ସଂଘର୍ଷ କରିବାକୁ ପଡ଼ିଥିଲା। ସହାୟତା ମାଗିବାକୁ ଅଷ୍ଟିନ ତାଙ୍କ କାୟାକରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କାୟାକରେ ପାଣି ଭରି ଯିବାରୁ ସେ ପିନ୍ଧିଥିବା ଲାଇଫ୍ ଜ୍ୟାକେଟ୍କୁ ଫିଙ୍ଗି ଦେଇ ପହଁରି ପହଁରି ସମୁଦ୍ର କୂଳକୁ ଯିବାକୁ ଚିନ୍ତା କରିଥିଲେ। ପଶ୍ଚିମ ଅଷ୍ଟ୍ରେଲିଆର ଅଶାନ୍ତ ଜଳରାଶିରେ ପ୍ରାୟ ଚାରି ଘଣ୍ଟା ଧରି ପହଁରି ସନ୍ଧ୍ୟା ପ୍ରାୟ ୬ଟାରେ ଉପକୂଳରେ ପହଞ୍ଚିଥିଲେ।

ମଙ୍ଗଳବାର ଅଷ୍ଟିନ୍ ତାଙ୍କ ସଂଘର୍ଷ କଥା କହିଥିଲେ, ସମୁଦ୍ରରେ ବହୁତ ବଡ଼ ବଡ଼ ଲହଡ଼ି ଆସୁଥିଲା, ମୋ ପାଖରେ ଲାଇଫ୍ ଜ୍ୟାକେଟ୍ ମଧ୍ୟ ନଥିଲା। ମୁଁ କେବଳ ପହଁରିବା ଜାରି ରଖିବି ବୋଲି ଭାବୁଥିଲି ଓ ଶେଷରେ କୂଳରେ ପହଞ୍ଚି ମା’ ଓ ଭାଇଭଉଣୀ ସମୁଦ୍ର ଭିତରକୁ ଭାସି ଯାଇଥିବା କଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲି। ପୁଲିସ ହେଲିକପ୍ଟର ଅଷ୍ଟିନଙ୍କ ମା’ ୪୭ ବର୍ଷୀୟ ଜୋଆନ୍ ଆପେଲବି, ତାଙ୍କର ୧୨ ବର୍ଷର ପୁଅ ବ୍ୟୁ ଓ ୮ ବର୍ଷର ଝିଅ ଗ୍ରେସ୍ଙ୍କୁ ରାତି ୮ଟା ୩୦ ମିନିଟରେ ଗଭୀର ସମୁଦ୍ର ଭିତରୁ ଠାବ କରିବା ପରେ ଉଦ୍ଧାର କରିଥିଲା ।
ଏହି ତିନିଜଣ ସେମାନଙ୍କ ଆରମ୍ଭ ସ୍ଥାନରୁ ପ୍ରାୟ ୧୪ କିଲୋମିଟର (୯ ମାଇଲ) ଦୂରକୁ ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବାବେଳକୁ ସେମାନେ ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ। ଉଦ୍ଧାରକାରୀମାନେ ପହଞ୍ଚିବା ବେଳକୁ ତିନିଜଣ ଶୀତରେ ଥରୁ ଥିଲେ। ଥଣ୍ଡା ଯୋଗୁଁ ବ୍ୟୁଙ୍କ ଗୋଡ଼ ଶିଥିଳ ପଡ଼ିଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପକୁ ସାକ୍ଷାତକାର ଦେଇ ଜୋଆନ କହିଛନ୍ତି, ଅଷ୍ଟିନଙ୍କୁ ସହାୟତା ମାଗିବାକୁ ପଠାଇବା ମୋ ପାଇଁ ସବୁଠୁ କଠିନ ନିଷ୍ପତ୍ତି ଥିଲା। ସେହି ସମୟରେ ଆମେ ସକାରାତ୍ମକ ରହିଥିଲୁ। ଅଷ୍ଟିନ ନିଶ୍ଚୟ କୂଳରେ ପହଞ୍ଚି ଯିବେ ବୋଲି ମୋର ବିଶ୍ବାସ ଥିଲା। ସନ୍ଧ୍ୟା ହୋଇଯିବାରୁ ଭୟ ଲାଗୁଥିଲା। ତଥାପି ଆମେ ଗୀତ ଗାଇ ମଜା କରୁଥିଲୁ ଓ ଏହାକୁ ଏକ ଖେଳ ଭାବରେ ଗ୍ରହଣ କରିଥିଲୁ ଜୋଆନ୍ କହିଥିଲେ।