ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ
ଧୂଆଁ ଧୂଆଁ ଜାତୀୟ ରାଜଧାନୀ
ଦିଲ୍ଲୀ ଆକାଶ କୃତ୍ରିମ କୁହୁଡିରେ ପୂର୍ଣ୍ଣ
ଶ୍ବାସ କ୍ରିୟାରେ ଦେଖାଦେଲାଣି ସମସ୍ୟା
ଧୂଆଁରେ ଉଡିଲା ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ। କୋର୍ଟଙ୍କ ସବୁ କଟକଣାକୁ ଅବମାନନା କଲେ ରାଜଧାନୀ ଦିଲ୍ଲୀବାସୀ। ଦୀପାବଳି ମଧ୍ୟାହ୍ନରୁ ସାରା ଦିଲ୍ଲୀରେ ଫୁଟିଲା ବାଣ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଏହି ଆତସବାଜି। ସ୍ଥିତି ଏମିତି ହୋଇଛି କି, ବର୍ଷା ଓ ଦିଲ୍ଲୀ ସରକାରଙ୍କ ଅଡ-ଇଭିନ ଅଭିଯାନ ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆସିଥିବା ସୁଧାର ବିଗାଡିଯାଇଛି। ସୋମବାର ସକାଳ ଦିଲ୍ଲୀ ଆକାଶ ଥିଲା କୁହୁଡି ମୟ। ୧୦ ମିଟର ଆଗରେ କଣ ଅଛି ତାହା ମଧ୍ୟ ଦେଖିବା ଲୋକଙ୍କ ପାଇଁ ହୋଇଥିଲା ଅସମ୍ଭବ। ରାସ୍ତା ଉପରେ ବାଣର ଅଳିଆ ଭର୍ତ୍ତି ହୋଇଥିବା ବେଳେ ଆକାଶ କୁହୁଡିରେ ଭରିଯାଇଥିବା ଦେଖିବାକୁ ମିଳିଥିଲା। ଖାଲି ଭିଜିବିଲିଟି କମିନି, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଲାଣି ବାୟୁ ପ୍ରଦୂଷଣ ପାଇଁ। ୧୪- ୧୬ ଘଣ୍ଟାରେ ଏମିତି ବାଣ ଫୁଟିଲା କି, ଏୟାର କ୍ବାଲିଟି ଇଣ୍ଡେକ୍ସ ୯୯୯ରେ ପହଞ୍ଚି ଯାଇଛି ଦିଲ୍ଲୀର। ଯାହା ଗତକାଲି ଅପରାହ୍ନରେ ଅଢେଇଶହ ଥିଲା। ସୋମବାର ମଧ୍ୟାହ୍ନ ୧ଟାରେ ଦିଲ୍ଲୀର ସ୍ଥିତି ଆମେ ଦେଖେଇବାକୁ ଚାହୁଁଛୁ। ସୂର୍ଯ୍ୟ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ତେଜରେ। ହେଲେ ବାୟୁମଣ୍ଡଳରେ ଭରି ରହିଛି ଧୂଆଁ। ଆଜିର ଦିଲ୍ଲୀକୁ ଦେଖିବା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ବାଣରେ ଫୁଟାଇ ଦିଲ୍ଲୀ ବାସୀ ଧୂଆଁରେ ଉଡେଇ ଦେଇଛନ୍ତି ଏହା ସ୍ପଷ୍ଟ ହୋଇଛି। ଗଳିକନ୍ଦି, ରାସ୍ତା ଘାଟରେ ପଡିଥିବା ବାଣର ଅବଶିଷ୍ଟାଂଶ ଦେଖିଲେ ମନକୁ ଆପଣା ଛାଏଁ ପ୍ରଶ୍ନ ଆସୁଛି, ଦିଲ୍ଲୀରେ ବାଣ ନ ଫୁଟାଇବାକୁ କୋର୍ଟ ଗତ ସାତ ତାରିଖରେ ଦେଇଥିବା ନିର୍ଦ୍ଦେଶ ପରେ ଏତେ ବାଣ ଆସିଲା କେଉଁଠୁ? ପୋଲିସ ପ୍ରଶାସନ ବାଣ ବିକ୍ରି ବେଳେ କରୁଥିଲା କଣ? ଏବେ ପୋଲିସ ଓ ପ୍ରଶାସନ ଉପରେ କୋର୍ଟ ନେବେ କି କୌଣସି ପଦକ୍ଷେପ? ତାକୁ ଦେଖିବାକୁ ବାକି ରହିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ସ୍ଥିତି କମ ଥିଲା। ଗୋଟିଏ ଦିନ ପୂର୍ବରୁ ଗ୍ରୀନ କ୍ରାକର ବିକ୍ରିକୁ ପୋଲିସ ପ୍ରଶାସନ ଅନୁମତି ଦେଇଥିଲା। ହେଲେ ଶନିବାରଠାରୁ ବାଣ ଫୁଟାର ମାହୋଲ ସୃଷ୍ଟି ହୋଇଥିଲା ଭୁବନେଶ୍ବରରେ। ଆଉ ଗତରାତି ତମାମ ବାୟୁ ପ୍ରଦୂଷଣ ସାଙ୍ଗକୁ କାନ ଅତଡା ଫାଟୁଥିଲା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣର ଆବାଜରେ, ଆଖିରୁ ହଜିଯାଇଥିଲା ନିଦ। କମିଶନରେଟ ପୋଲିସ କଣ କରୁଛି ବୋଲି ବୁଦ୍ଧିଜୀବୀ ସୋସିଆଲ ମିଡିଆରେ କରିଥିଲେ ପ୍ରଶ୍ନ।