ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି ।

ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ନିୟମଗିରି ଅଞ୍ଚଳରେ ପୋଲିସ ଓ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଜାରି ରହିଛି । ଅନ୍ୟପଟେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ଉପସ୍ତିତିକୁ ଜାହିର କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳକୁ ବନ୍ଦ ରଖିଛି ଓଏସ୍ଆରଟିସି । ବିଶେଷ କରି ରାୟଗଡା-ଥୁଆମାଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା, ରାୟଗଡା-ବ୍ରହ୍ମପୁର ଓ ସାନ୍ଦୁବାଡି-ନାରାୟଣପାଟଣାକୁ ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଯାଗାକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।

ତେବେ ସମସ୍ତ ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୋଲିସ ସଜାଗ ରହିଥିବା ରାୟଗଡା ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *