ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

ମହାଶିବରାତ୍ରିରେ ଘଟିଲା ବଡ ଅଘଟଣ । ମହାଦୀପ ଚୂଡାକୁ ଉଠାଇବା ବେଳେ ଖସିପଡିଲେ ସେବାୟତ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ତଳେ ପଡିଗଲେ‌ ସେବାୟତ । ତାଙ୍କ ମୁଣ୍ଡରେ ଓ ବାମ ପାର୍ଶ୍ବ ଆଖି ପାଖରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ଆହତ ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଆଁ ଛିଟିକି ଦୁଇ ସେବାୟତ ମଧ୍ୟ ଆହାତ ହୋଇଛନ୍ତି । ଆହତ ସମର୍ଥା ସେବାୟତ ଭାବେ ମନ୍ଦିରରେ ସେବା କରନ୍ତି। ପ୍ରତିବର୍ଷ ମନ୍ଦିରର ବାନା ବାନ୍ଧିବା ଓ ଧ୍ଵଜା ବଦଳାଇବା ସହ ମହାଦୀପ ଉଠାଇବା କାମ କରନ୍ତି । ଗତକାଲି ମହାଶିବରାତ୍ରିରେ ମହାଦୀପ ଧରି ସେ ମନ୍ଦିର ଚୂଡାକୁ ଯିବାକୁ ବାହାରିଥିଲେ । ମାତ୍ର 20 ଫୁଟ ଉଚ୍ଚତାକୁ ଚଢିବା ପରେ ତାଙ୍କ ହାତ ଖସିଯିବାରୁ ସେ ତଳେ ପଡିଯାଇଥିଲେ ।

ଭିଡକୁ ଏଡାଇ ଆମ୍ବୁଲାନ୍ସ ଯୋଗେ ଆହତ ସେବାୟତଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନ୍ୟ ଜଣେ ସମର୍ଥା ସେବାୟତ ମହାଦୀପ ନେଇ ଉପରକୁ ଉଠିଥିଲେ । ପ୍ରଥମ ଥର ପାଇଁ ମହାଶୀବରାତ୍ରିରେ ଏପରି ଅଘଟଣ ଘଟିଛି ।
ସେବାୟତ ଆହତ ସମ୍ପର୍କରେ ଖବର ପାଇବା ପରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ମଧ୍ୟ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିଲେ । ସେମାନଙ୍କର ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜଣେ ସେବାୟତ ଯିଏ ମହାଦୀପ ନେଉଥିଲେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ଅନ୍ୟ ଦୁଇ ଜଣ ମହାଦୀପର ନିଆଁ ଛିଟିକି ପଡି ଆହାତ ଥିବା ଆଇନମନ୍ତ୍ରୀ କହିଛନ୍ତି । ଏପରି ଅଘଟଣ ପରେ ମହାଦୀପକୁ ସୁରୁ ଖୁରୁରେ ଉଠା ଯାଇଛି ।

ସେପଟେ ଲିଙ୍ଗରାଜ ମନ୍ଦିରରେ ଏପରି ଘଟଣା ସମୟରେ ଦକ୍ଷିଣ ଦ୍ଵାରରେ ଦେଖାଦେଇଥିଲା ସେବାୟତଙ୍କ ମଧ୍ୟରେ ଉତ୍ତେଜନା । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ଦେଖିବାକୁ ମିଳିଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।