ମହାବୀର ପ୍ଲାଣ୍ଟର ଫ୍ଲାସ ଫର୍ନେସରେ ଦୁର୍ଘଟଣା: ୬ ଆହତ, ୨ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ସଂଲଗ୍ନ ବଲଣ୍ଡା ଅଞ୍ଚଳରେ ଥିବା ମହାବୀର ଫେରୋ ଆଲଏଜ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ସମସ୍ତଙ୍କୁ ଦଣ୍ଡିଆପାଲି ସ୍ଥିତ ଜେପି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ଫ୍ଲାସ ଫର୍ନେସର ଏକ ନୂତନ ଭାଟି ଚଳାଇବା ସମୟରେ ଅଚାନକ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ମତରେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଆଖପାଖରେ ଥିବା କିଛି କାରଖାନାକୁ ଶୁଣାଯାଇଥିଲା । ତେବେ ଏହି ଘଟଣାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବାପରେ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବରିଷ୍ଠ ଅଧିକାରୀଙ୍କ ଢିଲାପଣ ସହ ସେଫଟି ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଶ୍ରମିକ ସଙ୍ଗଠନ ପ୍ରକାଶ କରିଛି । ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଶ୍ରମିକ ସଙ୍ଗଠନ । ଉକ୍ତ ଦୁର୍ଘଟଣାରେ ପ୍ଲାଣ୍ଟ ଭିତରେ ଏକ ପ୍ରକାର କୋକୁଆ ଭୟର ବାତାବରଣ ସୃଷ୍ଟି ହେବା ସହ ଶ୍ରମିକ ଗଣ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

ତେବେ ଶ୍ରମିକଙ୍କ ପରିବାର ପରିଜନ ସ୍ଥାନୀୟ ପ୍ରଶାସନ ଓ ଫ୍ୟାକ୍ଟ୍ରି ଅଧିକାରୀଙ୍କୁ ଜବାବ ମାଗିଛନ୍ତି । ତେବେ ପ୍ରଶାସନ କହିଛି ଯେ ତଦନ୍ତ ହେବାପରେ ସୁନିଶ୍ଚିତ ଭାବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣା ପ୍ରକୃତ ତଥ୍ୟ ଲୁଚାଉଥିବା ଅନୁମାନ କରାଯାଉଛି । ଦେଖିବାକୁ ବାକି ରହିଲା ପ୍ରଶାସନ କେତେଶୀଘ୍ର ପଦକ୍ଷେପ ନେଉଛି ।

Leave a Reply

Your email address will not be published. Required fields are marked *