
ପୁରୀ ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ମାନେ ମହାପ୍ରସାଦ ନାମ କହି ଖଜା ବିକ୍ରି କରୁଛନ୍ତି। ତେବେ ଅତ୍ୟନ୍ତ ନିମ୍ନମାନର ଖଜାକୁ ଚଢ଼ା ଦାମ୍ ରେ ଏହା ଭକ୍ତଙ୍କୁ ବିକ୍ରି କରୁଛନ୍ତି ଖଜା ବ୍ୟବସାୟୀ। କେବଳ ସେତିକି ନୁହେଁ ଓଜନ ମାପରେ ମଧ୍ୟ ବ୍ୟାପକ ଭାବେ ଠକେଇ କରି ଭକ୍ତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଖଜା ବ୍ୟବସାୟୀ। ଏହି ଘଟଣା ସିଂହ ଦ୍ଵାର ଥାନାରେ ଅଭିଯୋଗ ହେବାପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରି ପାଖରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ଓ ବ୍ୟବସାୟୀ ମାନଙ୍କୁ ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଖୁବଶୀଘ୍ର ହଟାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ସେହିପରି ବିକ୍ରି ହେଉଥିବା ଖଜାର ମାନ ମଧ୍ୟ ଯାଞ୍ଚ କରାଯିବ। ଫୁଡ୍ ସେଫ୍ଟି ଲାଇସେନ୍ସ ନନେଇ ଖଜା ଫ୍ୟାକ୍ଟ୍ରି ଖୋଲିଥିବା ଖଜା ବ୍ୟବସାୟୀମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭକ୍ତମାନେ କାହାରି କଥାରେ ବିଶ୍ବାସ ନକରି କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ଖଜା କିଣିବାକୁ ପୁରୀ ଜିଲ୍ଲାପାଳ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି।
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ବଡଦାଣ୍ଡ ଉଠା ଦୋକାନୀ ମାନେ ଭକ୍ତ ଙ୍କୁ ଖଜା ବିକ୍ରି କୁ ନେଇ ଠକେଇ କରୁଥିବା ଅଭିଯୋଗ ପରେ ସିଂହ ଦ୍ଵାର ଥାନା ରେ ମାମଲା ରୁଜୁ ହୋଇଛି । ଏହି ଘଟଣା ରେ ୨ଜଣ ଖଜା ବ୍ୟବସାୟ କରୁଥିବା ଉଠା ଦୋକାନୀ ଙ୍କୁ ଠକେଇ ମାମଲା ରେ ଗିରଫ କରାଯାଇଛି। ବଡ ଦାଣ୍ଡ ଓ ଶ୍ରୀ ମନ୍ଦିର ଚାରିପାଖ ରେ ବେଆଇନ ଭାବେ ଖଜା ବିକ୍ରି କରୁଥିବା ଉଠାଦୋକାନୀ ଙ୍କୁ ହଟାଇବା ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ କୁ କୁହାଯାଇଛି।
ପୁରୀ ଆସୁଥିବା ଭକ୍ତଙ୍କୁ ସାଂଘାତିକ ଠକେଇ ଚାଲିଚି। ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ବିକ୍ରୀ କରୁଥିବା ଖଜାକୁ ମହାପ୍ରଭୁଙ୍କ ମହାପ୍ରସାଦ ନାମ ନେଇ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ସାଧାରଣ ଭକ୍ତ ଟିଏ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ମଧ୍ୟ ମହାପ୍ରସାଦ ଭାବି କିଣି ନେଉଛନ୍ତି। କେବଳ ସେତିକି ନୁହେଁ ଉଠା ଦୋକାନୀ ମାନେ ଭକ୍ତଙ୍କୁ ଓଜନ ମାପରେ ବ୍ୟାପକ ଠକେଇ ମଧ୍ୟ କରୁଛନ୍ତି। ଏକ କିଲୋ ଖଜା କିଣିଲେ ସେଥିରେ ସାତ ଶହ ଗ୍ରାମର ଖଜା ଓଜନରେ ଉଠୁଛି। ବଡ଼ଦାଣ୍ଡରେ ଦୀର୍ଘ ଦିନ ହେବ ଏଭଳି ଠକେଇ ଚାଲିଥିବା ବେଳେ ନିକଟରେ କିଛି ଭକ୍ତ ପୋଲିସରେ ଅଭିଯୋଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି। ବ୍ରହ୍ମପୁରରୁ ପୁରୀ ଆସିଥିବା କିଛି ଭକ୍ତ ବଡ଼ଦାଣ୍ଡରୁ ଖଜା କିଣିବା ପରେ ଖଜା ଓଜନରେ ଠକେଇର ଶିକାର ହୋଇଥିବା ନେଇ ଜାଣି ପାରିଥିଲେ। ଏନେଇ ସିଂହଦ୍ଵାର ଥାନାରେ ଭକ୍ତମାନେ ଅଭିଯୋଗ କରିବା ପରେ ପୋଲିସ ଖଜା ବ୍ୟବସାୟ କରୁଥିବା ଦୁଇଜଣ ଉଠା ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ଖଜାକୁ ମହାପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରିବା ଘଟଣା ଦୀର୍ଘ ବର୍ଷ ହେବ ଚାଲି ଆସୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ ବୋଲି ଦାବି ହେଉଚି। କେବଳ ଆନନ୍ଦ ବଜାରରୁ ହିଁ ଖଜା କିଣିବାକୁ ଭକ୍ତଙ୍କୁ ସଚେତନ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ସେବାୟତ।
ଶ୍ରୀମନ୍ଦିର ରୋଷ ଘରରେ ଖଜା ତିଆରି ପରେ ମହାପ୍ରଭୁଙ୍କ ନିକଟରେ ଏହାକୁ ଭୋଗ ଭାବେ ଲାଗି କରାଯାଇଥାଏ। ପରେ ଏହା ମହାପ୍ରସାଦ ରୂପରେ ଆନନ୍ଦ ବଜାରରେ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ କେତେକ ବ୍ୟବସାୟୀ ଖଜା ଦୋକାନ କରିଥିବା ବେଳେ ଭକ୍ତଙ୍କୁ ଏହି ଖଜା ଶ୍ରୀମନ୍ଦିରର ମହାପ୍ରସାଦ କହି ବିକ୍ରି କରୁଛନ୍ତି। ଯାହା ଫଳରେ ସାଧାରଣ ଭକ୍ତ ଟିଏ ଶ୍ରୀମନ୍ଦିର ବାହାରୁ ଖଜା କିଣି ନିଜ ଅଜାଣତ ରେ ଠକେଇର ଶିକାର ହେଉଛି। କେବଳ ସେତିକି ନୁହେଁ ଖଜା ଦୋକାନୀ ମାନେ ମନଇଛା ଦରରେ ନିମ୍ନ ମାନର ଖଜା ଭକ୍ତଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାର ଲାଭ ଉଠାଉଛନ୍ତି। ଏଣୁ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସୁଆର ମହାସୁଆର ନିଯୋଗ ପୂର୍ବରୁ ଦାବି କରିଚି।