
ଇଂରାଜୀ ନବବର୍ଷକୁ ନେଇ ଶ୍ରୀମନ୍ଦିର ଖୋଲା ରହିବା ପ୍ରଥା ଉପରେ ପୁଣିଥରେ ବିବାଦ ଆରମ୍ଭ ହୋଇଛି। ଜାନୁଆରି ୧ ରାତିରେ ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଖୋଲି ଦର୍ଶନ ବ୍ୟବସ୍ଥା କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ, ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ପ୍ରଥାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।
ଚିଠିରେ ପଣ୍ଡିତ ମହେଶ ସାହୁ ସ୍ପଷ୍ଟ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ସନାତନ ହିନ୍ଦୁମାନଙ୍କର ଆସ୍ଥା ଓ ଆରାଧ୍ୟ ଦେବତା। ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି, ପୂଜାପାଠ ଓ ପରମ୍ପରା ସନାତନ ଧର୍ମଶାସ୍ତ୍ର ଅନୁଯାୟୀ ଚାଲିଆସୁଛି। ଜାନୁଆରି ୧ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନବବର୍ଷ ହେଲେ ମଧ୍ୟ, ଏହା ସନାତନ ପରମ୍ପରାରେ ନବବର୍ଷ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।
ଗତ କିଛି ବର୍ଷ ଧରି ଜାନୁଆରି ୧ ରାତିରେ ମଧ୍ୟରାତ୍ରିରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବା ଏକ ନିୟମିତ ପ୍ରଥାରେ ପରିଣତ ହୋଇଯାଇଛି। ଏହା ଫଳରେ ମହାପ୍ରଭୁଙ୍କୁ ରାତି ଅନିଦ୍ରାରେ ରଖାଯାଉଛି, ଯାହା ଧାର୍ମିକ ଓ ପରମ୍ପରାଗତ ଦୃଷ୍ଟିକୋଣରୁ ଅନୁଚିତ ବୋଲି ସେ ଦାବି କରିଛନ୍ତି।
ଏହି ଚିଠି ପରେ ଶ୍ରୀମନ୍ଦିରରେ ଇଂରାଜୀ ନବବର୍ଷ ରାତିର ଦର୍ଶନ ବ୍ୟବସ୍ଥା ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏବେ ମନ୍ଦିର ପ୍ରଶାସନ ଓ ସରକାର ଏନେଇ କେଉଁ ନିଷ୍ପତ୍ତି ନେବେ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।