ମହାତ୍ମା ଗାନ୍ଧୀ ଉପରେ ପ୍ରବନ୍ଧ ଲେଖିବା ପରେ ଦଣ୍ଡ କୋହଳ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କ ଦଣ୍ଡକୁ ବମ୍ବେ ହାଇକୋର୍ଟ ୧୨ ବର୍ଷକୁ ହ୍ରାସ କରିଛନ୍ତି। ଦୋଷୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ସୁନାଣି କରି ବିଚାରପତି ସାରଙ୍ଗ କୋଟୱାଲ ଓ ସନ୍ଦେଶ ପାଟିଲଙ୍କ ଖଣ୍ଡପୀଠ ଫେବ୍ରୁଆରି ୨ ତାରିଖରେ ଏହି ରାୟ ଦେଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଘଟଣାରେ ବିଶେଷ ପୋକ୍ସୋ କୋର୍ଟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲା। ହାଇକୋର୍ଟ ତଥ୍ୟ ଓ ପ୍ରମାଣକୁ ଆଧାର କରି ଦୋଷ ସାବ୍ୟସ୍ତ ରଖିଥିବା ସତ୍ତ୍ୱେ ଦଣ୍ଡର ଅବଧି କମାଇବାକୁ ଯୋଗ୍ୟ ମନେ କରିଛନ୍ତି।

କୋର୍ଟ ମତ ପ୍ରକାଶ କରିଛନ୍ତି ଯେ, ଅପରାଧ ସମୟରେ ଦୋଷୀଙ୍କ ବୟସ ମାତ୍ର ୨୦ ବର୍ଷ ଥିଲା | ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିଲା। ସେ ୨୦୧୬ ଡିସେମ୍ବରରୁ ଜେଲ୍‌ରେ ଅଛନ୍ତି ଏବଂ କୋଭିଡ-୧୯ ସମୟରେ ମଧ୍ୟ ତାଙ୍କୁ ଅସ୍ଥାୟୀ ମୁକ୍ତି ମିଳିନଥିଲା। ହାଇକୋର୍ଟ ଦୋଷୀଙ୍କ ଜେଲ୍ ଭିତରର ଆଚରଣ ଓ ଶିକ୍ଷାଗତ କାର୍ଯ୍ୟକଳାପକୁ ଧ୍ୟାନରେ ନେଇଛନ୍ତି। ସେ ଜେଲ୍‌ରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ପ୍ରବନ୍ଧ ଲେଖିଥିବାକୁ କୋର୍ଟ ଉଲ୍ଲେଖ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦୋଷୀ ସଂଶୋଧନ ପାଇଁ ପ୍ରୟାସ କରିଥିବା ପ୍ରତୀତ ହେଉଛି। ଆମ ମତରେ ୧୨ ବର୍ଷର କାରାଦଣ୍ଡ ନ୍ୟାୟର ଲକ୍ଷ୍ୟ ପୂରଣ କରିବ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୋଷୀ ଯେତେଦିନ ଧରି ଜେଲ୍‌ରେ ରହିଛନ୍ତି, ସେ ସମୟକୁ ୧୨ ବର୍ଷର ଦଣ୍ଡରୁ କଟାଯିବ।

ଏହି ଘଟଣା ୯ ଡିସେମ୍ବର ୨୦୧୬ରେ ଘଟିଥିଲା। ପାଞ୍ଚ ବର୍ଷୀୟା ପୀଡିତା ପାଣି ଆଣିବାକୁ ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ଦୋଷୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଭୟଭୀତ ଝିଅଟି ଘଟଣା ବିଷୟରେ ପରିବାରକୁ ଜଣାଇଥିଲେ। ପରେ ଟ୍ରାଏଲ୍ କୋର୍ଟରେ ସେ ସାକ୍ଷ୍ୟ ଦେଇଥିଲେ ଏବଂ ହାଇକୋର୍ଟ ତାଙ୍କ ସାକ୍ଷ୍ୟକୁ ବିଶ୍ୱସନୀୟ ବୋଲି ମନେ କରିଛନ୍ତି। ଏହି ରାୟକୁ ନେଇ ବିଭିନ୍ନ ମହଳରେ ଆଲୋଚନା ଚାଲିଛି। ନାବାଳିକାଙ୍କ ସୁରକ୍ଷା ଓ ପୋକ୍ସୋ ଆଇନର କଠୋରତା ସନ୍ଦର୍ଭରେ ଏହା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।