ମଦ ସହ ଓ୍ବାଗନର ଗାଡି ଜବତ

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ବିଏସଏନଏଲ ଛକ ନିକଟରେ ଧରା ପଡିଛି ମାତ୍ରାଧିକ ଦେଶୀ ମହୁଲି ମଦ । ଏନେଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଉକ୍ତ ସ୍ଥାନକୁ ଯାଇ ଗାଡି ଯାଞ୍ଚ କରିଥିଲା । ଗାଡିରେ ୪୫୦ ଲିଟର ମହୁଲି ମଦ ବାହାରିଥିଲା। ଏହାକୁ ଅବକାରୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅବୈଧ ମଦ ବେପାରୀ ବିଶ୍ଵଜିତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସେ ମାଲଗୋଦାମ ସ୍ଥିତ ସର୍ଦ୍ଦାର ବସ୍ତିର ବାସିନ୍ଦା ବୋଲି ସୂଚନା ମିଳିଛି । ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।