ମଣ୍ଡିରୁ ଉଠୁନି ଧାନ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପାକ୍ସରୁ ଧାନ ଉଠାଣିରେ ବିଳମ୍ବ ହେଉଥିବା ଅଭିଯୋଗ ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ଚାଷୀମାନେ ଦିନରାତି ଧାନ ବସ୍ତା ଜଗିବାକୁ ବାଧ୍ୟ ହେଉଛନ୍ତି।

ଚାଷୀମାନଙ୍କ କହିବା ଅନୁଯାୟୀ, ଜାନୁଆରୀ ମାସରୁ ଟୋକନ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଲରମାନେ ଧାନ ଉଠାଇନାହାନ୍ତି। ଫଳରେ ଶହଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି। ଜରିପାଲ ବାନ୍ଧି ରକ୍ଷା କରାଯାଉଥିବା ସତ୍ତ୍ୱେ ଗାଈ-ଗୋରୁ ଓ ମୂଷା ଧାନ ନଷ୍ଟ କରୁଥିବା ଅଭିଯୋଗ ଆସିଛି। ଆଳି ବ୍ଲକର ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି।
ଜାନୁଆରୀ ୯ ତାରିଖରେ ମଣ୍ଡି ଉଦଘାଟନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୧୮୦୦ କୁଇଣ୍ଟାଲ ଧାନ ଉଠାଯାଇଛି। ଅଧିକରେ ୬୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଏହି ସମବାୟ ସମିତିର ୨୦୬ ଜଣ ଚାଷୀ ଧାନ ଦେବା ପାଇଁ ଟୋକନ ପାଇଥିଲେ ମଧ୍ୟ ୧୪ ଦିନ ହେବ ମିଲର ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରଶାସନଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ମଣ୍ଡି ସମ୍ମୁଖରେ ଧାରଣାରେ ବସିଛନ୍ତି। ବିଜୁ ଜନତା ଦଳର କିଛି ନେତାମାନେ ମଧ୍ୟ ଚାଷୀମାନଙ୍କ ସହ ଧାରଣାରେ ସମର୍ଥନ ଜଣାଇଛନ୍ତି।
ଚାଷୀମାନଙ୍କ ଦାବି ହେଉଛି, ମଣ୍ଡିରେ ପଡିରହିଥିବା ଧାନକୁ ଶୀଘ୍ର ଉଠାଇବା ସହ ଅତିରିକ୍ତ ୫ ହଜାର କୁଇଣ୍ଟାଲ ଧାନ କ୍ରୟ ଟାର୍ଗେଟ୍ ଦିଆଯାଉ, ଯାହା ଫଳରେ ସେମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।