
ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ମହିଳା ସାମ୍ବାଦିକାଙ୍କ ଜୀବନ ଯାଇଛି। ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ସାମ୍ନାରେ ଏହି ଦୁଃଖଦ ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ପଛଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଚଢ଼ିଯିବାରୁ ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ରାସ୍ତା ଉପରେ ବାଲିଗଦା ହୋଇଥିବା କାରଣରୁ ସ୍କୁଟି ଚାଳକା ଗତି କମାଇଥିଲେ। ଏହି ସମୟରେ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସ୍କୁଟିକୁ ପଛଦିଗରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ମଙ୍ଗଳପୁର ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ମହିଳାମାନଙ୍କ ମଧ୍ୟରୁ ଜଣେ ଶିଲା ପଟ୍ଟନାୟକ ବୋଲି ଚିହ୍ନଟ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଜଣେ ମହିଳା ସାମ୍ବାଦିକା ବୋଲି ସୂଚନା ମିଳିଛି।
ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଭାରି ଟ୍ରାଫିକ ଜାମ୍ ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ବସ୍ ଓ ସ୍କୁଟିକୁ ଜବତ କରିଛି। ପୁଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ, ବସ୍ ଚାଳକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ଆଧୀନରେ ରଖାଯାଇଛି।