ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ବାରମ୍ବାର ଦାବିକୁ ଅଣଦେଖା କରୁଛନ୍ତି ସରକାର। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ସଂକୀର୍ତ୍ତନ ସତ୍ୟାଗ୍ରହ। ଏହି କ୍ରମରେ ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି କଂଗ୍ରେସ କର୍ମକର୍ତ୍ତା। ସରକାର ତୁରନ୍ତ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ଦାବି କରିଛନ୍ତି କର୍ମକର୍ତ୍ତା। ଶ୍ରୀମନ୍ଦିର କରିଡର ପାଇଁ ଅନ୍ୟ ୩ ଦ୍ବାର ବନ୍ଦ କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ଖୋଲୁନାହିଁ। ଫଳରେ ଭକ୍ତ ଭାରିକେଟର ଲମ୍ବା ଲାଇନରେ ଠିଆହୋଇ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ତେଣୁ ସବୁ ଦ୍ବାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛି କଂଗ୍ରେସ। ଅନ୍ୟପଟେ, ଭକ୍ତ ହରକତ ହେଉଥିବା ବେଳେ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ବିନା ଲାଇନରେ ଯିବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ କଂଗ୍ରେସ କରିଥିବା ଦାବି ପରେ ସରକାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବାକୁ ଯାଉଥିବାରୁ ସାମାନ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା। ତଥାପି ଲେଜର ସ୍କାନିଂ ପରି ହାଇଟେକ୍ନୋଲୋଜିର ପ୍ରୟୋଗ ଉପରେ ସନ୍ଦେହ ପ୍ରକଟ କରାଯାଇଛି

ପୂର୍ବରୁ କଂଗ୍ରେସ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ବାର ଖୋଲିବା ସହ ୬ ଦଫା ଦାବି ନେଇ ଗତ ମାସ ପ୍ରଥମାର୍ଦ୍ଧରେ ପୁରୀରେ ଆନ୍ଦୋଳନ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇ ନ ଥିବାରୁ ଏବେ ସଂକୀର୍ତ୍ତନ କରି ଶୋଇରହିଥିବା ସରକାରକୁ ଉଠାଇବାକୁ ଚେଷ୍ଟା କରାଯାଉଥିବା କଂଗ୍ରେସ କହିବା ସହ ତୁରନ୍ତ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *