
ଭୁବନେଶ୍ଵର ସ୍ଥିତ କଂଗ୍ରେସ ଭବନ ନିକଟସ୍ଥ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ଶବ ମିଳିବା ଘଟଣାରେ ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କଥାରେ ରହୁନି ତାଳମେଳ । ଗୋଟିଏ ପଟେ ପ୍ରତ୍ୟକ୍ଷଦର୍ଶୀ ଶବକୁ କେହି ଗାଡିରେ ଆଣି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପୋଲିସ କହୁଛି ଯେ ଗାଡିରୁ କୌଣସି ମୃତଦେହ ଫୋପଡା ଯାଇନାହିଁ । ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନଠାରୁ ଅଳ୍ପ ଦୂରରେ ଆଜି ଦିନ ପ୍ରାୟ ୧୦ଟା ୩୦ ସମୟରେ ଦେଖିବାକୁ ମିଳିଥିଲା ଅଜ୍ଞାତ ଯୁବକଙ୍କ ମୃତଦେହ। କଂଗ୍ରେସ ଭବନ ନିକଟସ୍ଥ ରାସ୍ତା କଡ଼ରେ ହଳଦିଆ ଟି-ସାର୍ଟ ଏବଂ କଳା ରଙ୍ଗର ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବା ଏହି ଯୁବକଙ୍କ ଶବ ଗୋଟିଏ ପାର୍ଶ୍ୱକୁ ମୁହଁମାଡି ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆନୁମାନିକ ୩୫ ବର୍ଷ ଏହି ଯୁବକଙ୍କ ଚପଲ ତାଙ୍କ ମୁହଁ ପାଖରେ ତଳମୁହାଁ ହୋଇ ପଡ଼ିଥିବାବେଳେ, ତାଙ୍କ ନାକରୁ ସାମାନ୍ଯ ରକ୍ତ ବାହାରିଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ଯୁବକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନଥିଲା ।
ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ଏକ ବିଶ୍ବକର୍ମା ପୂଜା ମଣ୍ଡପରେ ଉପସ୍ଥିତ ଥିବା କିଛି ଲୋକଙ୍କ କହିବା ଅନୁସାରେ ଏକ ଧଳା ଜିପ ଆସି ସେହି ସ୍ଥାନରେ ଠିଆ ହୋଇଥିଲା ଯାହା ୨-୩ ମିନିଟ ପରେ ସେଠାରୁ ଚାଲିଯାଇଥିଲା । ଲୋକମାନେ ମଣ୍ଡପରୁ ବାହାରିବା ପରେ ଯୁବକଙ୍କ ଶବ ଦେଖିବାକୁ ପାଇଥିବା କଥା କହିଛନ୍ତି । ତେଣୁ, ଜିପରେ ବାହାରୁ ଶବ ଆଣି ସେଠାରେ ପକାଯାଇଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।
ଅନ୍ୟପଟେ, ପୋଲିସ କହୁଛି ଗାଡିରୁ ମୃତଦେହ ପଡିଥିବା କେହି ଦେଖି ନାହାନ୍ତି ଏବଂ ଯୁବକଙ୍କ ମୃତ୍ଯୁକୁ ନେଇ ଖୋଳତାଡ଼ କରାଯାଉଛି । କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ଅଚେତ ହୋଇ ପଡିଥିବା ବିଷୟରେ ପୋଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଟିମ ପହଂଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ଲୋକଙ୍କ ସନ୍ଦେହକୁ ନେଇ ଆଇଆଇସି କହିଛନ୍ତି କି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯିବ; ଯାହା ଫଳରେ ସେହି ସମୟରେ ସେହି ସ୍ଥାନ ଦେଇ ଯାଇଥିବା ସମସ୍ତ ଗାଡିର ବିଷୟରେ ତଥ୍ୟ ମିଳିପାରିବ।
ତେବେ, ସ୍ପଷ୍ଟ ଦିବାଲୋକରେ ମାଷ୍ଟର କ୍ୟାଣ୍ଟିନ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ, ଜଣେ ଯୁବକଙ୍କ ଶବ ଆଣି ପକାଇବାକୁ କିଏ ସାହସ କଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଜଧାନୀ ଏବେ କେତେ ସୁରକ୍ଷିତ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।