ଭିଜିଲାନ୍ସ ଜାଲରେ ଅମିନ ବାବୁ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା କରି କୋର୍ଟକୁ ଚାଲାଣ କରିଛି ।

ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରୁଥିଲେ । ଯାହାଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପରେ ରାଉରକେଲା ଭିଜିଲାନ୍ସ ଥାନାରେ ଅମିନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚଟଙ୍କା ନେବା ସମୟରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅମିନଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ଜବତ କରିଥିବା ଜଣାପଡିଛି ।