ଭାରତ–ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି ନିକଟରେ

ଭାରତ ଓ ୟୁରୋପୀୟ ସଂଘ (EU) ମଧ୍ୟରେ ଦୀର୍ଘଦିନ ଧରି ଚାଲୁଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଶୁଳ୍କ ନୀତି ପରିପ୍ରେକ୍ଷୀରେ ଏହି ଚୁକ୍ତିକୁ ଗ୍ଲୋବାଲ୍ ବାଣିଜ୍ୟ ପାଇଁ ଏକ ବିକଳ୍ପ ଭାବେ ଦେଖାଯାଉଛି |

୨୦୦୭ରୁ ଆରମ୍ଭ ହୋଇଥିବା ଭାରତ ଓ ଇୟୁ FTA ଆଲୋଚନା ୨୦୧୩ରେ କାର୍, ମଦ ଉପରେ ଶୁଳ୍କ, ବୌଦ୍ଧିକ ସମ୍ପତ୍ତି ଅଧିକାର ଓ ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ମତଭେଦ ଯୋଗୁ ବନ୍ଦ ହୋଇଯାଇଥିଲା | ୨୦୨୧ରେ ପୁଣି ଆଲୋଚନାକରି ପୁନରାରମ୍ଭ ହୋଇଥିଲା ଏବଂ ୨୦୨୨ ଜୁନ୍ ଜୁଲାଇରେ ଆନୁଷ୍ଠାନିକ ଭାବରେ ନୂଆ ରାଜନୈତିକ ପ୍ରତିବଦ୍ଧତା ସହ ଆଲୋଚନା ଆଗକୁ ବଢ଼ିଥିଲା| ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁରୋପୀୟ କମିସନ୍ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ୨୦୨୫ ଶେଷ ସୁଦ୍ଧା ଆଲୋଚନା ସମାପ୍ତ କରିବାକୁ ସହମତ ହୋଇଥିଲେ | ୨୦୨୬ ଜାନୁଆରିରେ ଡାଭୋସ୍‌ରେ ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଥିଲେ ଯେ ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି ଏବଂ “ଆମେ ଏକ ଐତିହାସିକ ଚୁକ୍ତିର ଦ୍ୱାରଦେଶରେ ଅଛୁ |”

ଏହି ଚୁକ୍ତି ଦ୍ୱାରା ଭାରତୀୟ ରପ୍ତାନିକାରୀମାନେ ୨୭ଟି ଇୟୁ ଦେଶର ପ୍ରାୟ ୪୫ କୋଟି ଉଚ୍ଚ ଆୟ ଗ୍ରାହକଙ୍କୁ ପହଞ୍ଚିପାରିବେ | ବୟନଶିଳ୍ପ, ଔଷଧ, ଆଇଟି, ସେବା କ୍ଷେତ୍ର, ଜୋତା ଚମଡା, ରତ୍ନ ଓ ଅଳଙ୍କାର ରପ୍ତାନିରେ ବଡ଼ ବୃଦ୍ଧି ଆଶା କରାଯାଉଛି | ଏହା ସହ ଆମେରିକା ଉପରେ ଭାରତର ବାଣିଜ୍ୟ ନିର୍ଭରଶୀଳତା ହ୍ରାସ ପାଇବ | ଇୟୁ ପାଇଁ ଭାରତ ଏକ ବଡ଼ ଓ ଦ୍ରୁତ ବଢୁଥିବା ମଧ୍ୟବିତ୍ତ ବଜାର। ଚୀନ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳତା କମେଇବା ପାଇଁ ଇୟୁ ଭାରତକୁ ଏକ ରଣନୈତିକ ସାଥୀ ଭାବେ ଦେଖୁଛି। ଗାଡ଼ି, ମଦ, ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ ଓ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୟୁରୋପୀୟ ନିବେଶ ବୃଦ୍ଧି ପାଇବ ବୋଲି ଆଶା।